ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ବୁଧବାର ଦିନ ତାଇୱାନରେ ରିକ୍ଟର ସ୍କେଲରେ ୭.୪ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ହୋଇ ଜାପାନର ୟୋନାଗୁନି ଦ୍ୱୀପରେ ସୁନାମି ସୃଷ୍ଟି ହୋଇଛି।  ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରହିଛି ।

ଦୀର୍ଘ ୨୫ ବର୍ଷ ମଧ୍ୟରେ ସବୁଠୁ ବଡ ଭୂକମ୍ପ ବୋଲି କୁହାଯାଉଛି । ଗତ ୨୫ ବର୍ଷରେ ଏହା ତାଇୱାନରେ ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ସୂଚନା ମିଳିଛି। ଏହି ଭୂମିକମ୍ପ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ୫୦ ଜଣ ଆହତ ହୋଇଥିବା ଜଣାଯାଇଛି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।ତାଇୱାନରେ ହୋଇଥିବା ଏହି ଭୂକମ୍ପ ଏତେ ଶକ୍ତିଶଶାଳୀ ଥିଲା ଯେ ଚୀନ୍‌ର ସାଂଘାଇ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପରେ ସହରର ଏକାଧିକ ବଡ଼ ବଡ଼ କୋଠା ଦିଆସିଲି ଖୋଳ ପରି ଭୁଶୁଡ଼ି ପଡ଼ିଛି। ତେବେ ଭୁଶୁଡ଼ି ପଡ଼ିଥିବା ବିଲ୍ଡିଂରେ ବହୁ ଲୋକ ଫସି ରହିଥିବା ଅନୁମାନ କରାଯାଉଛି।

ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି। ଏଥିସହ ଦେଶର ବହୁ ଟ୍ରେନ୍‌ ସେବାକୁ ବାତିଲ କରି ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରେ ବିଜୁଳି ସଂଯୋଗ ତଥା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଜାପାନର ଦୁଇଟି ଦ୍ୱୀପରେ ସୁନାମୀ ଆସିଥିବା ଜଣାଯାଇଛି। ତେଣୁ ଆଗାମୀ ଦିନରେ ତାଇୱାନ, ଜାପାନ ଓ ଫିଲିପାଇନ୍ସରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଜୁଆର ୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଏଥିସହ ଆସନ୍ତା କିଛି ଦିନରେ ଦେଶରେ ଆହୁରି କିଛି ଭୂମିକମ୍ପ ଝଟକା ଅନୁଭୂତ ହେବ ବୋଲି ତାଇୱାନର ସେଣ୍ଟ୍ରାଲ ସିସମୋଲୋଜି ସେଣ୍ଟର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.