ବାଇକ ରାଲି ମାଧ୍ୟମରେ ବିଜେଡିର ଶକ୍ତି ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ଅଭିମନ୍ୟୁ ସେଠୀଙ୍କୁ ଟିକେଟ ମିଳିବାପରେ ଆଜି ବିଶାଳ ବାଇକ୍ ରାଲିରେ ଅଭିମନ୍ୟୁ ସେଠୀ ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଆଜି ଅପରାହ୍ନରେ ଭୁବନେଶ୍ବରରୁ ଆସି ପହଞ୍ଚିବା ପରେ ହସନପୁର ଟୋଲ୍ ଗେଟ୍ ନିକଟରେ ୧୦ହଜାରରୁ ଉର୍ଦ୍ଧ୍ବ ସମର୍ଥକ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ ଜଣାଇଥିଲେ ।

ଏହାପରେ ସମର୍ଥକଙ୍କ ଗହଣରେ ବିଶାଳ ବାଇକ୍ ରାଲିରେ ଅଭିମନ୍ୟୁ ସେଠୀ ଓ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ହସନପୁରରୁ ବେଲବାହାଳି ଦେଇ ଶାଳପଡା, ଆନନ୍ଦପୁର ଓ ପରେ ହାଟଡିହି ଯାଏ ଶୋଭାଯାତ୍ରାରେ ଯାଇଥିଲେ । ଵିଶେଷ କରି ବିଭିନ୍ନ ସ୍ଥାନରେ ସମର୍ଥକ ମାନେ ରାସ୍ତା କଡରେ ଠିଆ ହୋଇ ତାଙ୍କୁ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା। ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ିରେ ଥିବା ଗୋଷ୍ଠୀ କନ୍ଦଳ ପ୍ରଭାବ ଦେଖିବାକୁ ମିଳି ନ ଥିଲା। ଆଜି ସବୁ ନେତା ମାନେ ଏକଜୁଟ ହୋଇ ତାଙ୍କୁ ତାଙ୍କୁ ସ୍ୱାଗତ କରିଥିଲେ। ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଜିଲ୍ଲା ପରିଷଦ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ,ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳଙ୍କ ସମେତ ଆନନ୍ଦପୁର ବ୍ଲକ, ମୁନିସପାଲଟି ଓ ହାଟଡ଼ିହି ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସଭ୍ୟ, ଓ ବିଜେଡି ନେତା ମାନେ ସାମିଲ ହୋଇଥିଲେ।

ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ୍ ର ହେଭିୱେଟ୍ ନେତା ଜୟଦେବ ଜେନା ନିର୍ବାଚନ ଲଢୁଥିବା ବେଳେ, ବିଜେପିରୁ ଆଲୋକ ସେଠୀ ପ୍ରାର୍ଥୀ ହୋଇଛନ୍ତି. ଏଠାରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ଆଶା କରାଯାଉଛି। ଆଜିର ଏହି ବାଇକରାଲି ପରେ ଅଭିମନ୍ୟୁ ତାଙ୍କ ପ୍ରତିକ୍ରିୟାରେ ନବୀନ ପଟ୍ଟନାୟକଙ୍କୁ ଲୋକେ ଭଲ ପାଉଛନ୍ତି, ତେଣୁ ଲୋକମାନେ ତାଙ୍କୁ ଓ ସାଂସଦ ପ୍ରାର୍ଥୀ ଙ୍କୁ ଭଲ ଭୋଟ ବ୍ୟବଧାନରେ ଜିତାଇବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.