ଆଜିଠୁ ବିଧାନସଭାରେ ବଜେଟ ଅଧିବେଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଠାରୁ ବିଧାନସଭାରେ କାମଚଳା ବଜେଟ ଅଧିବେଶନ | ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବ । ଏହାପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ | । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ତମ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି ।ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ, ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ। ସ୍ୱଳ୍ପ ଅଧିବେଶନରେ ନୂଆ ଓ ପୁରୁଣା ପ୍ରସଙ୍ଗକୁ ନେଇ ଗୃହ ବେଶ୍ ସରଗରମ ହେବା ସମ୍ଭାବନା ରହିଛି। ଗୃହକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ କରି ଉଭୟ ବିରୋଧୀ ଓ ଶାସକଙ୍କ ସହଯୋଗ ଲୋଡିଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧି । ବିରୋଧିଙ୍କ ପ୍ରଶ୍ନରେ କମ୍ପିବ ବିଧାନସଭା । ହାତରେ ମାଳମାଳ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ପ୍ରତି ଆକ୍ରମଣ ପାଇଁ ମଧ୍ୟ ସରକାର ତୟାର ଅଛନ୍ତି । ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ସ୍ବଳ୍ପ ସମୟ ମଧ୍ୟରେ ଚେଷ୍ଟା କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଆଞ୍ଚଳିକ ବୈଷମ୍ୟତା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଉପରେ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରିବ ।

ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ବିଧାନସଭାର ସର୍ବଦଳୀୟ ବୈଠକ । ବୈଠକର ଅଧ୍ୟକ୍ଷତା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତଙ୍କ ସହ ସହଯୋଗ ଲୋଡିଥିଲେ ବାଚସ୍ପତି । ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ବୈଠକରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.