ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳୁଛି ସାରା ଓଡିଶା। ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ଲୋକେ। ରାତି ନପାହୁଣୁ ଆରମ୍ଭ ହୋଇଗଲାଣି ଗୁଳୁଗୁଳି। ସକାଳ ୭ଟା ବେଳକୁ ଦିନ ୧୧ଟା ପରି ଗରମ ଅନୁଭୂତ ହେଉଛି। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି।  ୮ଟା ୩୦ରେ ଭୁବନେଶ୍ଵରରେ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ୩୪.୪ ଡିଗ୍ରୀ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ସେହିପରି ଚାନ୍ଦବାଲିରେ ୩୨.୬, ପୁରୀ ୩୨.୪, କେନ୍ଦୁଝର ୩୧.୨ ଡିଗ୍ରୀ, ଝାରସୁଗୁଡା ୩୧.୪ ଡିଗ୍ରୀ , ଗୋପାଳପୁର ୩୧.୪ ଡିଗ୍ରୀ , ହୀରାକୁଦ ୩୧ ଡିଗ୍ରୀ , ପାରାଦୀପ ୩୦.୮, ସମ୍ବଲପୁରରେ ୩୦.୪ ଏବଂ ରାଉରକେଲାରେ ୩୦ ହିଗ୍ରୀ ରେକର୍ଡ କରାଯାଇଛି। ସେପଟେ ଆସନ୍ତା ୫ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ମାତ୍ର ଏବେ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ଗୁଳୁଗୁଳି ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରାରେ କ୍ରିକେଟ୍, ହକି ଓ ଫୁଟବଲ ଭଳି ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଅଂଶୁଘାତ ରୋକିବା ଲାଗି ଗତକାଲି ଶ୍ରମିକଙ୍କ କାର୍ଯ୍ୟ ସମୟ ସଙ୍କୁଚିତ କରାଯାଇଛି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ଡ଼ିଗ୍ରି ଯାଏଁ ବୃଦ୍ଧି ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.