ଗାଁରୁ ସହର ଲକ୍ଷ୍ମୀ ବସ ସେବା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗତିଶୀଳ ଓଡିଶା ପ୍ରଗତିଶୀଳ ଓଡିଶା ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଲକ୍ଷ୍ମୀ ବସ ଯୋଜନା ମୟୁରଭଞ୍ଜ ଜିଲ୍ଲାରେ ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରଚୁଆଲ ମୋଡ଼ରେ ଏହାକୁ ଉଦଘାଟନ କରିଛନ୍ତି। ଗ୍ରାମାଞ୍ଚଳର ବିକାଶରେ ସମୃଦ୍ଧି ସାରଥି ସାଜିବ ଲକ୍ଷ୍ମୀ ବସ୍ ସେବା। ଯାହା ଦ୍ଵାରା ଗ୍ରାମାଞ୍ଚଳରେ ଗମନାଗମନ ସୁଗମ ହେବା ସହ ଲୋକମାନେ ନିଜର କାର୍ଯ୍ୟସ୍ଥଳୀ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସହ ଯୋଡ଼ି ହୋଇପାରୁଛନ୍ତି।ବିଶେଷ କରି ମହିଳା ମାନେ ଏହି ବସ୍ ସେବା ମାଧ୍ୟମରେ ବେଶ୍ ଉପକୃତ ହେଉଛନ୍ତି।

ମାତ୍ର ୫ ଟଙ୍କାରେ ମହିଳା ଓ ଛାତ୍ରଛାତ୍ରୀ ମାନେ ଯାତ୍ରା କରିପାରିବେ। ମୟୂରଭଞ୍ଜ ଜିଲ୍ଲାର ୩୮୬ଟି ପଞ୍ଚାୟତରେ ୧୦୭ଟି ବସ୍ ଚଳାଚଳ କରିବ। ଯାହା ଦ୍ୱାରା ୨୪ଲକ୍ଷ ୨୦ହଜାର ଲୋକ ସୁଗମ ଯାତ୍ରାର ସୁବିଧା ପାଇ ପାରିବେ। ତେଣୁକରି ପ୍ରଥମ ପର୍ଯ୍ୟାୟରେ ୬୨ଗୋଟି ବସ ରୁଟରେ ଚଳାଚଳ ଶୁଭାରମ୍ଭ ହୋଇଛି। ଲକ୍ଷ୍ମୀ ବସ୍‌ ଲୋକଙ୍କୁ ଲୋକ ସହିତ ଯୋଡିବ। ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ, ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀ ମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସରେ ଯିବା ଆସିବା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭିଡ଼ିଓ କନ୍ଫରେନସିଂ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।

ବାରିପଦାର ଛଉ ପଡ଼ିଆ ଠାରେ ଉଦଘାଟନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଉଦଳା ବିଧାୟକ ଭାସ୍କର ମଢେଇ, ସତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡା ଦେବାଶିଷ ମାରାଣ୍ଡି, ପୋୖରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିବା ବେଳେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠି, ଜିଲ୍ଲାପାଳ ଆଶିଷ ଠାକରେ, ଏସପି ଏସ ସୁଶ୍ରୀ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ୱରାଜ ବେହେରା ସମେତ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉକ୍ତ ପ୍ରଗତିଶୀଳ ଯୋଜନା ଲକ୍ଷ୍ମୀ ବସ ଯୋଜନା ଜରିଆରେ ଗ୍ରାମାଞ୍ଚଳରୁ ସହରକୁ ଗମନା ଗମନର ପ୍ରମୁଖ ମାଧ୍ୟମ ସାଜିବ ବୋଲି ଅତିଥି ମାନେ କହିଥିଲେ। ରାଜ୍ୟ ସରକାର ଲୋକଙ୍କ ସରକାର ଅଟେ। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜିଲ୍ଲାଗସ୍ତ ସମୟରେ ଲୋକଙ୍କ ଅସୁବିଧାକୁ ଦୃଷ୍ଟି ରଖି ସମାଧାନ ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଛି।ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଯୋଜନା ଜାରି ରହିଛି। ଲକ୍ଷ୍ମୀ ବସ୍‌ ଆପଣ ମାନଙ୍କ ନିଜ ସମ୍ପତ୍ତି, ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା ଓ ସମ୍ମାନପ୍ରତି ଗୁରୁତ୍ୱ ଦେବାର ଦାୟିତ୍ୱ ସମସ୍ତ ଜନସାଧାରଣଙ୍କ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ମୟୁରଭଞ୍ଜ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ସାମିଲ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪ଟି ଜିଲ୍ଲା ଉକ୍ତ ଯୋଜନାରେ ସାମିଲ ହୋଇପାରିଛି ବୋଲି କହିଛନ୍ତି। ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି।

Leave A Reply

Your email address will not be published.