ସିଆଇଟିୟୁ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ର ସମେତ ରାଜ୍ୟରେ ବିଜେପି ସରକାର ଗଠନ ହେବାର କିଛି ଦିନ ମଧ୍ୟରେ ହୁ ହୁ ହୋଇ ଖାଉଟି ସାମଗ୍ରୀ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଗରିବ ସମେତ ମଧ୍ୟବିତ୍ତ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇ ପଡ଼ିଲାଣି। ତେବେ ସବୁ ଜାଣି ସୁଦ୍ଧା ବିଜେପିର ଡବଲ ଇଞ୍ଜିନ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି। ଏହାକୁ ବିରୋଧ କରି ଭାରତ ଟ୍ରେଡ଼ ୟୁନିୟନ (ସିଆଇଟିୟୁ)ର ମୟୁରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ ଗୁରୁବାର ଦାବି ଦିବସ ପାଳନ ପୂର୍ବକ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥି ସହିତ ଦରଦାମ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ୧୫ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସଦ୍ୟ ଭାବେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ବିଜେପି କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିଛନ୍ତି।

ତେବେ ନୂତନ ସରକାର ଗଠନ ହେବା ପରେ ଚାଉଳ, ଡାଲି, ତେଲ, ଆଳୁ, ପିଆଜ, ପନିପରିବା ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ଦର ଅସହ୍ୟ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର କ୍ଷୀର ଦର ଦାମ୍ ୨ଟଙ୍କା ବଢାଇ ସହ ଟୋଲ ଗେଟରେ ୫ଭାଗ ଟିକସ ବୃଦ୍ଧି କରିଛନ୍ତି। ଏଥି ସହିତ ନିର୍ବାଚନ ପୂର୍ବରୁ ଜୀବନ ରକ୍ଷାକାରୀ ଔଷଧ ସମେତ ବିଭିନ୍ନ ପ୍ରକାର ଡ୍ରଗସ୍ ଓ ଔଷଧର ମୂଲ୍ୟ ବହୁଗୁଣ ବୃଦ୍ଧି ପାଇଛି ବୋଲି ସିଆଇଟିୟୁ ପକ୍ଷରୁ ଅଭିଯୋଗ କରିଛନ୍ତି। ମଧ୍ୟବିତ୍ତ ଲୋକେ ବ୍ୟବହାର କରୁଥିବା ଦୁଇ ଚକିଆ, ତିନି ଚକିଆ, ବିଦ୍ୟୁତ ଉପକରଣ ସମେତ ଅନ୍ୟାନ୍ୟ ସମସ୍ତ ଜିନିଷ ଦାମ୍ ବୃଦ୍ଧି ପାଇଛି। ଶାସକ ଦଳ ନିର୍ବାଚନ ବଣ୍ଡମାଧ୍ୟମରେ ବିପୁଳ ପରିମାଣର ଚାନ୍ଦା ଆଦାୟ କରିଥିବାରୁ ଫାର୍ମା କମ୍ପାନୀ ସମେତ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନି ମାନଙ୍କୁ ବିପୁଳ ଭାବରେ ଲାଭ ପ୍ରଦାନ କରିବା ପାଇଁ ଏଭଳି ଦରବୃଦ୍ଧି କରିଥିବାର ନେଇ ସିଆଇଟିୟୁ ପକ୍ଷରୁ କୁହାଯାଇଛି। ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନ ଜୀବୀକା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କର ତୃଟି ପୂର୍ଣ୍ଣ ଜିଏସଟି ନୀତି ଦରବୃଦ୍ଧିର ପ୍ରମୁଖ କାରଣ ସାଜିଛି ବୋଲି କହିଛନ୍ତି।

କିନ୍ତୁ ବିଜେପିର ଡବଲ ଇଞ୍ଜିନ ସରକାର ଶ୍ରମିକ ଓ ଗରିବ ଲୋକ ବିରୋଧୀ ସରକାର ଅଟେ। ଉକ୍ତ ସରକାର ଦରବୃଦ୍ଧି ରୋକିବା ପାଇଁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିପାରିଲା ନାହିଁ। ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝି ଶପଥ ନେବା ପରେ ବି ଲୋକଙ୍କ ମୌଳିକ ସମସ୍ୟା ଗୁଡ଼ିକ ସମାଧାନ ହେଲାନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜଳସେଚନ, କୃଷି କୃଷକଙ୍କ ଦାବି ଓ ଶ୍ରମିକ କର୍ମଚାରୀ, ସାଧାରଣ ଲୋକଙ୍କ ଜୀବନ ଜୀବୀକା ଦାବିକୁ ନୂତନ ବିଜେପି ସରକାର ପ୍ରାଧାନ୍ୟ ଦେଉନାହିଁ ବୋଲି ଅଭିଯୋଗ କରିଛନ୍ତି। ଜଗନ୍ନାଥ ମନ୍ଦିର ଚାରି ଦ୍ଵାର ଖୋଲି ଜନସାଧାରଣଙ୍କ ଧର୍ମୀୟ ବିଶ୍ଵାସରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ କରୁଛନ୍ତି। କିନ୍ତୁ ବନ୍ଦ କଳ କାରଖାନା, ଖଣି ଖାଦାନ ଖୋଲି ଛଟେଇ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି, ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି, ରାଷ୍ଟ୍ରାୟତ ଉଦ୍ୟୋଗ, ରାଜ୍ୟର ପ୍ରମୁଖ ଘରୋଇ ଉଦ୍ୟୋଗରେ ଯାନ୍ତ୍ରିକରଣ ପରିବର୍ତ୍ତେ ରାଜ୍ୟର ବୈଷୟୀକ ତାଲିମ ପ୍ରାପ୍ତ ଶିକ୍ଷିତ ବେକାର ମାନଙ୍କୁ ଅଗ୍ରାଧକାର ଭିତିରେ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଇନାହାନ୍ତି। ରାଜ୍ୟର ଶ୍ରମିକ କର୍ମଚାରୀ, ଗରିବ, ଜନସାଧାରଣ ଓ ମଧ୍ୟବିତ୍ତ ବର୍ଗଙ୍କ ଦାବି ଗୁଡିକୁ ରାଜ୍ୟର ନୂତନ ବିଜେପି ସରକାରଙ୍କ ପାଖରେ ଉପସ୍ଥାପିତ କରିବା ପାଇଁ ସିଆଇଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ୧୫ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଛନ୍ତି।

 

Leave A Reply

Your email address will not be published.