ବାରିପଦା ସହରରେ ପୁଣି ଛିନତାଇ ନେଇ ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ସହରରେ କିଛି ଦିନର ବ୍ୟବଧାନ ପରେ ପୁଣି ଛିନତାଇ ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି। ପୁଣି ବାରିପଦା ସହରରେ ମହିଳାଙ୍କ ବେକରୁ ସୁନାହାର ଛିନତାଇ ହୋଇଛି। ଛିନତାଇ ଶିକାର ମହିଳା ଜଣକ ହେଲେ କୁଳିଅଣା ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆ ଅଞ୍ଚଳର ଦେବସ୍ମିତା ବେହେରା। ଏନେଇ ସେ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସେ ତାଙ୍କ ପରିବାର ଲୋକଙ୍କ ସହିତ ଶାଶୁ ଘରକୁ ଯାଉଥିଲେ। ଉକ୍ତ ସମୟରେ ମୁର୍ଗାବାଡ଼ି ଗୋଳେଇ ନିକଟରେ ଅଟକି ଥିଲେ। ଉକ୍ତ ସମୟରେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କୁ ପିଛା କରିଥିଲେ। ରାସ୍ତାରେ ତାଙ୍କୁ ପାଇ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ଉକ୍ତ ମହିଳାଙ୍କ ବେକରୁ ପିନ୍ଧି ଥ‌ିବା ମୂଲ୍ୟବାନ ସୁନାହାରଟି ଛିଣ୍ଡାଇ ନେଇ ଚମ୍ପଟ୍ ମାରି ଦ୍ରୁତ ବେଗରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ମହିଳାଙ୍କ ଅଭିଯୋଗକ୍ରମେ ଭଞ୍ଜପୁର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଛିନତାଇ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧିକୁ ନେଇ ସହରବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ଉକ୍ତ ଲୁଟେରା ଗ୍ୟାଙ୍ଗ ମାନଙ୍କ ନଜରରେ ବୃଦ୍ଧ ବୃଦ୍ଧା ଏବଂ ମହିଳା ମାନଙ୍କ ଉପରେ ରହୁଛି। ବୟସ ଅଧିକ କାରଣରୁ ଛିନତାଇ କରୁଥିବା ଦୁର୍ବୁତ୍ତ ମାନଙ୍କୁ ଧରିବାରେ ସେମାନେ ଅସମର୍ଥ ଥିବାରୁ ଲୁଟ କରିକି ଚମ୍ପଟ ମାରିବା ଅତି ସହଜ ହେଉଛି। ଅନ୍ୟପଟେ ବାରିପଦା ସହରରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା ଢିଲା ହେବା ଦ୍ଵାରା ଦୁର୍ବୁତ୍ତ ମାନେ ଏହିପରି କାଣ୍ଡ ବାରମ୍ବାର ଭିଆଉଛନ୍ତି। ତେଣୁ ପୁଲିସର ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡାକଡି କରିବାର ଆବଶ୍ୟକତା ନେଇ ସ୍ଥାନୀୟରେ ଦାବି ହୋଇଛି।

Leave A Reply

Your email address will not be published.