ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାନୀୟ ଜଳ ଯୋଗାଣ ସମସ୍ୟାର ବାରମ୍ବାର ଅଭିଯୋଗ ପରେ ସମାଧାନ ହେଉନି। ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ସମସ୍ୟାର ସମାଧାନ ଦାବି କରି ମଙ୍ଗଳବାର ସକାଳୁ ରାସ୍ତା ଅବରୋଧ କରିଛନ୍ତି। ବାରିପଦା-ଉଦଲା ରାଜ୍ୟ ରାଜପଥର ପୋଡାଅସ୍ତିଆ ଛକ ନିକଟରେ ଦୀର୍ଘ ୪ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଅବରୋଧ ପାଇଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଯାହା ଫଳରେ ବାରିପଦା-ଉଦଳା ୧୮ନମ୍ବର ରାଜ୍ୟ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟକ ଗାଡି ମୋଟର ଅଟକି ରହିଥିଲା। ଅଭିଯୋଗ ମୁତାବକ, ଶ୍ୟାମଖୁଣ୍ଟା ବ୍ଲକ ଅନ୍ତର୍ଗତ ପୋଡା ଅସ୍ତିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ୱାର୍ଡ ମାନଙ୍କରେ ପାନୀୟ ଜଳ ଯୋଗାଣରେ ଠିକ ଭାବେ ହେଉନାହିଁ। ଉକ୍ତ ଅଞ୍ଚଳର ହଜାର ହଜାର ଲୋକ ବସବାସ କରନ୍ତି। ପିଇବା ପାଣି ପାଇଁ କେବଳ ଗୋଟିଏ ନଳକୂପ ରହିଥିବା ବେଳେ କିଛି ଦିନ ହେବ ତାହା ମଧ୍ୟ ଖରାପ ହୋଇ ପଡ଼ିରହିଛି। ଯାହା ଫଳରେ ପାନୀୟ ଜଳ ଯୋଗାଣ ସମସ୍ୟା ଅତ୍ୟନ୍ତ ଉତ୍କଟ ହେବାରୁ ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଗୁହାରି ଜଣାଇଥିଲେ। ତେବେ ଏହାର କୋଣସି ସୁଫଳ ହେବା ପରିବର୍ତେ ସମସ୍ୟା ଆହୁରି ଜଟିଳ ହୋଇଥିଲା। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦାବି କରି ମଙ୍ଗଳବାର ସକାଳୁ ୭ରୁ ପ୍ରାୟ ୧୧:୩୦ପର୍ଯ୍ୟନ୍ତ ପୋଡା ଅସ୍ତିଆ ଛକ ଠାରେ ରାସ୍ତା ଅବରୋଧ କରିଥିଲେ।
ସ୍ଥାନୀୟ ଅଞ୍ଚଳର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ରାସ୍ତା ରୋକ କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଯଥାଶୀଘ୍ର ପାଣି ସମସ୍ୟାର ସମାଧାନ ନହେଲେ ରାସ୍ତାରୋକ ଜାରୀ ରହିବ ବୋଲି ଗ୍ରାମ ବାସିନ୍ଦା ମାନେ ଜିଦରେ ଅଡ଼ି ବସିଥିଲେ। ଯାହା ଫଳରେ ବାରିପଦା -ଉଦଳା ଗମନା ଗମନ ଠପ୍ ହେବା ସହ ଉଭୟ ପାର୍ଶ୍ୱରେ ଅନେକ ସଂଖ୍ୟକ ଗାଡି ମୋଟର ଅଟକି ରହିଥିଲା। ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ବୁଝାସୁଝା କରିଥିଲେ। ସମସ୍ୟାର ତଦାରଖ କରିବା ସହ ସମାଧାନ ପାଇଁ ଖୁବଶୀଘ୍ର ପାନୀୟ ଜଳ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା। ତେବେ ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି