୧୯ ତାରିଖ ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ, କାର୍ଯ୍ୟକ୍ରମକୁ ସଫଳ କରିବା ଓପିସିସି ସଭାପତିଙ୍କ ନିବେଦନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପ୍ରଚଣ୍ଡ ରୌଦ୍ରତାପରେ ସମଗ୍ର ଓଡ଼ିଶା ଶିଝୁଥ‌ିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମସ୍ୟା ପ୍ରତି ଉଦାସୀନ ରହି ଦାଉ ସାଜୁଛନ୍ତି ।ରାଜ୍ୟ ବିଜେଡ଼ି ସରକାର ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ସମଗ୍ର ରାଜ୍ୟରେ ଘନ ଘନ ବିଜୁଳି କାଟ ଓ ଲୋ ଭୋଲଟେଜ ଯୋଗୁଁ ଜୀବନ ଦୁର୍ବିସହ ହୋଇପଡ଼ିଛି । ଭିତିଭୂମି ଅଭାବ ହେତୁ ବିଜୁଳି ଯୋଗାଇବା ବ୍ୟାହତ ହେଉଥିବା ସ୍ଵୟଂ ଶକ୍ତିମନ୍ତ୍ରୀ ସ୍ଵୀକାର କରିଛନ୍ତି । ରାଜ୍ୟ ରାଜଧାନୀ ମଧ୍ୟ ବିଜୁଳି ବିଭ୍ରାଟର ପୀଡ଼ା ଭୋଗୁଛି । ଭିତିଭୂମି ବାବଦରେ ବ୍ୟୟ ବରାଦ ହୋଇଥିବା ୨୦ ହଜାର କୋଟିର ସଦୂପଯୋଗ ବାବଦରେ ସାଧାରଣରେ ପ୍ରଶ୍ନ ଉଠିଛି ।

କଂଗ୍ରେସ ଏ ସଂକ୍ରାନ୍ତରେ ଶ୍ଵେତପତ୍ର ଦାବି କରିଛି । ଏଥି ସାଙ୍ଗକୁ ବିଜୁଳି ଦେୟ କ୍ଷେତ୍ରରେ ସାଧାରଣ ଖାଉଟିଙ୍କୁ ଶୋଷଣ କରାଯାଉଛି । ଗତ କଂଗ୍ରେସ ସରକାରଙ୍କ ସମୟର ବିଦ୍ୟୁତ ଦେୟ ତୁଳନାରେ ଏହା 250ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟବାସୀଙ୍କୁ ବିଜୁଳିକାଟ ଜନିତ ଯନ୍ତ୍ରଣାରୁ ମୁକ୍ତ କରିବା ଓ ଅବିଚାରିତ ବିଦ୍ୟୁତ ଦେୟର ପରିଣାମ ହ୍ରାସ କରିବା ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଆସନ୍ତା ଜୁନ ୧୯, ସୋମବାର ଦିବା ୧୧ ଘଟିକା ସମୟରେ ଭୁବନେଶ୍ଵରସ୍ଥ ଗ୍ରୀଡ଼କୋ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ ତରଫରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବାର ନିଷ୍ପତି ନିଆଯାଇଛି ।

ଜନସାଧାରଣଙ୍କ ସ୍ଵାର୍ଥ ଦୃଷ୍ଟିରୁ ଆସନ୍ତା ୧୯ ତାରିଖ ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରାଉ କାଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ,ଦଳର ସମସ୍ତ ଛାମୁଆ ସଂଗଠନ ଏବଂ ପ୍ରକୋଷ୍ଠ ଓ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ଯୋଗଦେବା ପାଇଁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନିବେଦନ କରିଛନ୍ତି।ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ଜନସାଧାରଣଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି.

Leave A Reply

Your email address will not be published.