ଜୋ ବାଇଡେନଙ୍କୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି: ଡୋନାଲ୍ଡ ଟ୍ରମ୍ପ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ‘ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି’ ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସିକ୍ରେଟ୍ ଡକ୍ୟୁମେଣ୍ଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଆମେରିକାର ମିଆମି କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ବର୍ଣ୍ଣନା କରି ଟ୍ରମ୍ପ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି। ସୂଚନା ଥାଉକି ଟ୍ରମ୍ପଙ୍କୁ ହେପାଜତକୁ ନିଆଯାଇଥିଲା, କିନ୍ତୁ ତାଙ୍କୁ ବିନା ସର୍ତ୍ତରେ କୋର୍ଟରୁ ଯିବାକୁ ଅନୁମତି ମିଳିଥିଲା। ଏହି ମାମଲାରେ ପୂର୍ବତନ ରାଷ୍ଟ୍ରପତିଙ୍କୁ କିଛି ସର୍ତ୍ତ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟର ଶୁଣାଣି ପରେ ଟ୍ରମ୍ପ ମିଆମିରୁ ନ୍ୟୁ ଜର୍ସିର ବେଡମିନିଷ୍ଟରର ଗଲ୍ଫ କ୍ଲବକୁ ଫେରିଥିଲେ ଏବଂ ସେଠାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଥିଲେ।

ନ୍ୟୁ ଜର୍ସିରେ ଥିବା ଗ୍ରୀଷ୍ମକାଳୀନ ବାସଭବନକୁ ଫେରିବା ପରେ ଟ୍ରମ୍ପ କହିଛନ୍ତି, “ଆଜି ଆମେ ଆମ ଦେଶର ଇତିହାସରେ କ୍ଷମତାର ଅପବ୍ୟବହାର ହେଉଥିବା ଦେଖିଛୁ। ଏହା ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ଜଣେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି ତାଙ୍କର ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଇଥିଲେ। ସେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏପରି ଘଟାଉଛନ୍ତି କାରଣ ସେ ହାରିବାକୁ ଡରୁଛନ୍ତି।” ସୂଚନା ଥାଉକି, ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ରହିଛି। ଆମେରିକାର ନ୍ୟାୟ ବିଭାଗ ଗତ ଶୁକ୍ରବାର ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସାର୍ବଜନୀନ କରିଥିଲେ। ତାଙ୍କ ବିରୋଧରେ ୪୯ ପୃଷ୍ଠାର ଏକ ଚାର୍ଜସିଟ୍ ଗଠନ କରାଯାଇଥିଲା। ଏଥିମଧ୍ୟରେ ଜାତୀୟ ସୁରକ୍ଷା ପ୍ରତି ବିପଦ, ଆଣବିକ ଏବଂ ପ୍ରତିରକ୍ଷା ଗୁପ୍ତ ଫାଇଲଗୁଡିକର ଭୁଲ ଉପାୟରେ ନିଜ ପାଖେ ରଖି ସେୟାର କରିବା ଭଳି ଅଭିଯୋଗ ରହିଛି।

Leave A Reply

Your email address will not be published.