କରୋନାକୁ ନେଇ ଏହି ଭ୍ରମଗୁଡ଼ିକ ଆଜି ବି ଲୋକଙ୍କ ମଧ୍ୟରେ ରହିଛି, ଯାହାକି ସମ୍ପୂର୍ଣ୍ଣ ମିଛ ଅଟେ, ଜାଣନ୍ତୁ ସତ୍ୟତା

0

ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ତେବେ ଏହି ସମୟ ମଧ୍ୟରେ କରୋନାର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସିବା ସହ ଅନେକ ତଥ୍ୟ ବୈଜ୍ଞାନିକମାନେ ଖୁଲାସା କରିଛନ୍ତି । କୋଭିଡରେ ଲକ୍ଷାଧିକ ଲୋକ ସଂକ୍ରମିତ ହେବା ସହ ମୃତ୍ୟୁବରଣ କରିବା ଫଳରେ ଅନେକ ପରିବାର ଉଜୁଡ଼ି ଯାଇଛି । ଜନସାଧାରଣଙ୍କ ବ୍ୟାକୁଳତା, ପ୍ରଶାସନର ସମସ୍ତ ପ୍ରୟାସ ସତେ ଯେମିତି କରୋନା ଆଗରେ ହାର୍ ମାନିଥିଲା । ତେବେ ସରକାରଙ୍କ ପକ୍ଷରୁ ଅନେକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ ପରେ ମଧ୍ୟ ଆଜି ବି ଅନେକ ଲୋକ କରୋନାକୁ ନେଇ ଅନ୍ଧାର ମଧ୍ୟରେ ରହିଛନ୍ତି । କରୋନାକୁ ନେଇ ଅନେକ ଗୁଜବ, ଭ୍ରମାତ୍ମକ ଉକ୍ତି କିଛି ଲୋକଙ୍କ ମଧ୍ୟରେ ଏବେ ବି ବସା ବାନ୍ଧିଛି, ଯାହାର ପ୍ରଭାବରେ ସେମାନେ ବେଶି ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖାଯାଉଛି । କରୋନା କବଳରେ ସମଗ୍ର ମାନବ ସମାଜ ରହିଥିବା ବେଳେ ଏହି ଭାଇରସର ଉତ୍ପତ୍ତି, ନିରାକରଣ ଓ ଏନେଇ ବିଜ୍ଞାନର ମତ କ’ଣ ଆଦି ସାମନାକୁ ଆସିଥିଲା । ତେବେ ସମୟସ୍ରୋତରେ କିଛି ତଥ୍ୟ ଭୁଲ୍ ବୋଲି ସାବ୍ୟସ୍ତ ହୋଇସାରିଥିଲେ ହେଁ ଅଧିକାଂଶ ଲୋକ ତାହାକୁ ଆଜି ବି ସତ ଭାବି ଚାଲିଛନ୍ତି । ଆସନ୍ତୁ ଜାଣିବା ସେ ବିଷୟରେ ।

  • ଚୀନର ଉହାନ ଲ୍ୟାବରୁ କରୋନା ଭାଇରସର ଉତ୍ପତ୍ତି ନେଇ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଏହାକୁ ଚୀନ ଭାଇରସ୍ ନାମରେ ନାମିତ କରିଥିଲେ । ତେବେ ବର୍ତ୍ତମାନ ଜଣାପଡ଼ିଛି ଯେ, ଏହା ଭୁଲ୍ ଅଟେ । ଆମେରିକାର ଇଣ୍ଟେଲିଜେନ୍ସ ପକ୍ଷରୁ କୁହାଯାଇଛି, କୋଭିଡ୍ ଭାଇରସ୍ ମ୍ୟାନ୍ ମେଡ୍ କି ବଂଶାନୁକ୍ରମିକ ନୁହେଁ । ହୋଇପାରେ ଚୀନ ଅସଲ ଦୋଷୀ, କିନ୍ତୁ ଡ୍ରାଗନକୁ ବଲି କା ବକରା ବନାଇବା ପାଇଁ ଟ୍ରମ୍ପ ଏପରି ମନ୍ତବ୍ୟ ଦେଇଥିଲେ, ଯାହାକୁ ପୀଡ଼ିତ ବିଶ୍ୱ ଗ୍ରହଣ କରିନେଇଥିଲା ।
  • ଆଜି କିଛି ରାଷ୍ଟ୍ର କରୋନା ସହ ଲଢ଼ିବା ପାଇଁ ମାସ୍କ ବାଧ୍ୟତାମୂଳକ ବୋଲି ଗ୍ରହଣ କରୁନାହାନ୍ତି । ମାସ୍କ ପିନ୍ଧିବା ଦ୍ୱାରା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ମଧ୍ୟ କିଛିଦିନ ଧରି ଚର୍ଚ୍ଚା ହୋଇଥିଲା । ତେବେ ମାସ୍କ ଭାଇରସ୍ ସଂକ୍ରମଣକୁ ହ୍ରାସ କରିଥାଏ ବୋଲି ଅଗ୍ରଣୀ ସ୍ୱାସ୍ଥ୍ୟ ସଂସ୍ଥା ଲାନସେଟ୍ ଦ୍ୱାରା ପ୍ରମାଣିତ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରୋନାର ପ୍ରଥମ ଷ୍ଟେଜ୍ ସମୟରେ ଯେଉଁ ତଥ୍ୟ ଦିଆଯାଇଥିଲା, ସେଥିରେ ମାସ୍କକୁ ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇ ନଥିଲା । ତେଣୁ ମାସ୍କର ଟାଇପକୁ ନେଇ ଲୋକଙ୍କ ମନରେ ଅନେକ କନଫ୍ୟୁଜନ୍ ସୃଷ୍ଟି ହୋଇଥିଲା ଓ ସମସ୍ତ ଅପଡେଟ୍ ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା ।
  • ଆମେରିକାରେ ଅଧିକ କରୋନା ଟେଷ୍ଟ ହେବା ଫଳରେ ଅଧିକ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ବୋଲି ଚାରିଆଡ଼େ ପ୍ରଚାର ହୋଇଥିଲା । ତେଣୁ ଏହି ତଥ୍ୟକୁ ଅନେକ ଦେଶ ଗ୍ରହଣ କରିନେଇଥିଲେ, ଯାହାକି ସମ୍ପୂର୍ଣ୍ଣ ଭୁଲ୍ ଥିଲା । ଯେତେ ଟେଷ୍ଟ ହେବ, ସେତେ ସଂକ୍ରମିତ ଚିହ୍ନଟ ହେବେ, ମାତ୍ର ଏହା ପଛର ବେନିଫିଟ୍ ଲଜିକ୍ କିଛି ଦେଶରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା । ଟେଷ୍ଟିଂ କିଟ୍ ଅଭାବରୁ ହେଉ ବା ଅନ୍ୟ କୌଣସି କାରଣରୁ ହେଉ ଅଧିକାଂଶ ଲୋକ ଟେଷ୍ଟରୁ ନିଜକୁ ଦୂରେଇ ରଖିଥିଲେ, ଯାହାର ଫଳ ଆମକୁ ଭୋଗିବାକୁ ପଡ଼ିଲା ।
  • କରୋନା ଟିକାର କାର୍ଯ୍ୟଦକ୍ଷତାକୁ ନେଇ ଅନେକ ଚର୍ଚ୍ଚା ରହିଥିବା ବେଳେ କିଛି ଲୋକ ଏବେ ବି ଟିକାକୁ ନେଇ ଭୟଭୀତ ଅଛନ୍ତି । ଟିକା ନେବା ପରେ କିଛି ଲୋକ ମୃତ୍ୟୁବରଣ କରିଥିବା ଦେଖାଯାଇଥିଲା । କିଛି ଲୋକଙ୍କ ଠାରେ ନାନା ପ୍ରକାର ସାଇଡ୍ ଇଫେକ୍ଟ ଦେଖାଯାଇଥିଲା । ଫଳରେ ଲୋକମାନେ ଟିକାକୁ ନେଇ ନାନା ସନ୍ଦେହ ମଧ୍ୟରେ ରହିଥିଲେ । ଟିକା ନେବା ପରେ ଜଣେ ସୁରକ୍ଷିତ ନା ନାହିଁ, ଏହାର ପ୍ରକୃତ କାର୍ଯ୍ୟ କ’ଣ, ଏ ବିଷୟରେ ଅସଲ କଥା ସାଧାରଣ ଲୋକ ବୁଝିନଥିଲେ ।

Leave A Reply

Your email address will not be published.