ସଂରକ୍ଷିତ ଜଙ୍ଗଲରୁ କଲରା ପତରିଆ ବାଘର ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଭିଜନ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ କଲରା ପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ପୋଷ୍ଟମର୍ଟମ ପରେ ବାଘ ମୃତଦେହକୁ ପୋଡ଼ି ଦିଆଯାଇଥିବା ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

ପେଣ୍ଠବାହାଳ ଚମ୍ପାଳି ପୋଲ ନିକଟ ଜାତୀୟ ରାଜପଥ ଠାରୁ ଭୀମମଣ୍ଡଳୀ ରାସ୍ତାର ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ ଏହି ମୃତ କଲରାପତରିଆ ବାଘକୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରିଥିଲା ବନ ବିଭାଗ। ତେବେ ମଙ୍ଗଳବାର ସକାଳୁ ରେଢାଖୋଲ ଡ଼ିଏଫ୍‌‌ଓ ଅରବିନ୍ଦ ମହାନ୍ତି, ସମ୍ବଲପୁର ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଟି.ଅଶୋକ କୁମାର, ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ବେହେରା ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଜଏଣ୍ଟ ଟାକ୍ସ ଫୋର୍ସ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ।

ବନବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ମୃତ କଲରାପତରିଆ ବାଘର ବ୍ୟବଚ୍ଛେଦ କରାଯାଇଥିଲା। ନାକଟିଦେଉଳ ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ଡ଼ା. ଶ୍ରବଣ କୁମାର ଆଚାରୀ ମୃତ ବାଘର ଶବ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ପରେ ମୃତ କଲରାପତରିଆ ବାଘ ଦେହରୁ ୩ଟି ଗୁଳି ବାହାରି ଥିବା ଜଣାପଡ଼ିଛି।  ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ କଲରା ପତରିଆ ବାଘଟି ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ଗତକାଲି ବନ ବିଭାଗ ପହଞ୍ଚି ବାଘର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.