କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀବେନଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀବେନଙ୍କ ପରଲୋକ ହୋଇଛି। ସୋମବାର ରାଜେଶ୍ବରୀବେନ ମୁମ୍ବାଇର ଏକ ହସ୍ପିଟାଲରେ ଶେଷ ନିଶ୍ବାସ ନେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ସେ ଗତ କିଛି ମାସ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମକର ଉତ୍ସବ ସହ ଏକାଧିକ କାର୍ଯ୍ୟକ୍ରମ ପାଇଁ ଗୃହରାଜ୍ୟ ଗସ୍ତ କରିଥିବା ଶାହ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ମୁମ୍ବାଇର ଏକ ହସ୍ପିଟାଲରେ ଗତ କିଛି ମାସ ହେବ ରାଜେଶ୍ବରୀ ବେନ ଚିକିତ୍ସାଧୀନ ଥିଲେ । ଆଜି ପୂର୍ବାହ୍ନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ମୃତଦେହ ଅହମ୍ମଦାବାଦକୁ ନିଆଯାଉଛି । ସେହିଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଶାହ ମଧ୍ୟ ଶେଷକୃତ୍ୟରେ ଅଂଶଗ୍ରହଣ କରିପାରନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତମାମ ବିଜେପି ନେତା ଶୋକ ପ୍ରକାଶ କରିଛନ୍ତି । ଗତ ସପ୍ତାହରେ ଶାହ ମୁମ୍ବାଇ ଗସ୍ତ କରି ଅସୁସ୍ଥ ଭଉଣୀଙ୍କୁ ଭେଟିଥିଲେ ।

ସେଠାରେ ସେ ରାଜେଶ୍ବରୀ ବେନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଟିମ ସହ ମଧ୍ୟ ଆଲୋଚନା କରି ଫେରିଥିଲେ । ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ହସ୍ପିଟାଲରେ ରାଜେଶ୍ବେରୀ ବେନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ । ମକର ସଂକ୍ରାନ୍ତି ଉତ୍ସବ ପାଇଁ ଶାହ ନିଜ ଗୃହ ସଂସଦୀୟ କ୍ଷେତ୍ର ଗାନ୍ଧୀନଗର ଗସ୍ତ କରିଥିଲେ । ସେଠାରେ ସେ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଅହମ୍ମଦାବାଦରେ ମଧ୍ୟ ଗୁଡ଼ିଉଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଗୁଜୁରାଟରେ ଅନ୍ୟ ଦୁଇ କାର୍ଯ୍ୟକ୍ରମରେ ଶାହଙ୍କ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା ।

Leave A Reply

Your email address will not be published.