ଆଜିଠାରୁ ଦୁଲୁକିବ ବିଶ୍ୱର ସବୁଠାରୁ ବଡ଼ ରଙ୍ଗମଞ୍ଚ- ବରଗଡ଼

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠାରୁ ଦୁଲୁକିବ ବିଶ୍ୱର ସବୁଠାରୁ ବଡ଼ ରଙ୍ଗମଞ୍ଚ।  ବରଗଡ଼ରେ ଚାଲିବ ମହାପ୍ରତାପୀ ମହାରାଜା କଂସ ରାଜୁତି । ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ବରଗଡ ସହର ପାଲଟିଯିବ ମଥୁରା ନଗରୀ । ସନ୍ଧ୍ୟା 7ଟାରେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟନ ହେବାକୁ ଥିବା ବେଳେ ପୋଲିସ ଓ କଳାକାର ସମସ୍ତେ ପ୍ରସ୍ତୁତ । ସନ୍ଧ୍ୟା ସାଢେ 5ଟାରେ ମା’ ସମଲେଶ୍ଵରୀ ଦେବୀଙ୍କ ଠାରେ ପୂଜାର୍ଚ୍ଚନା କରଯାଇ ହାଟପଦା ସ୍ଥିତ ମହାରାଜା କଂସଙ୍କ ଦରବାର ପର୍ଯ୍ୟନ୍ତ ଶୋଭାଯାତ୍ରା ପହଞ୍ଚି ଧନୁଯାତ୍ରାର ବିଶ୍ଵ ଦରବାର ଉଦଘାଟନ କରାଯିବ । ଉଦଘାଟନୀ ସମାରୋହରେ ଯୋଗଦେବେ ସାଂସଦ ସୁରେଶ ପୁଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ।

ଆଜିଠାରୁ ଆରମ୍ଭ ହୋଇ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା ପାଇଁ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୯୫ଫୁଟ ଉଚ୍ଚ ଏବଂ ୪୫ଫୁଟ ଓସାର ରାଜଦରବାର ନିର୍ମାଣ ହୋଇଛି। ରଙ୍ଗ ମହଲକୁ ନୂଆ ରୂପ ଦିଆଯାଇଛି।ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଅପରାହ୍ନ 2ଟା 30ରେ ଆରମ୍ଭ ହୋଇଛି ଏକ ସାଂସ୍କୃତିକ ଶୋଭାଯାତ୍ରା କାର୍ଯ୍ୟକ୍ରମ । ଆଜିର ଏହି ସାଂସ୍କୃତିକ ଶୋଭାଯାତ୍ରାରେ 19ଟି ସଂସ୍କୃତିକ ସଂଗଠନ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରିବେ । ଦୁଲଦୁଳି, ଘଣ୍ଟପାର୍ଟି, ଦଣ୍ଡ ନାଚ, ଘୁଡକା ନାଚ, କୀର୍ତ୍ତନ, ପଞ୍ଜାବୀ ଭାଙ୍ଗଡା, ଆଦିବାସୀ ନୃତ୍ୟ ଏପରି 19 ଗୋଟି ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀ ଛକଠାରୁ ଆରମ୍ଭ ହୋଇ ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ପହଞ୍ଚିବ ।

ଆଜିଠାରୁ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ବରଗଡ ସହର ପାଲଟିବ ମଥୁରା ନଗରୀ ଏବଂ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ରାଜୁତି । ଆମ୍ବାପାଳି ଆଜିଠାରୁ ପାଲଟିଯିବ ଗୋପପୁର ଏବଂ ଉଭୟ ବରଗଡ ଓ ଅମ୍ବାପାଳି ମଝିରେ ବହିଯାଇଥିବା ଜୀରା ନଦୀ ୧୧ ଦିନ ପାଇଁ ହୋଇଯିବ ଯମୁନା ନଦୀ । ବରଗଡବାସୀ ହେଉ ବା ବରଗଡକୁ ଆସୁଥିବା ସମସ୍ତ ଦର୍ଶକ ହେଉନା କାହିଁକି ସମସ୍ତେ ଅଜାଣତରେ ମଧ୍ୟ ହୋଇଯାନ୍ତି ୧୧ ଦିନର ଗୋଟେ ଗୋଟେ କଳାକାର । ଏହି ୧୧ ଦିନ ପାଇଁ ବରଗଡରେ ଜିଲ୍ଲା ପ୍ରଶାସନ ବା ଜିଲ୍ଲାପାଳଙ୍କ ଶାସନ ନୁହେଁ ଏଠାରେ ଚାଲିବ ମହାରାଜ କଂସଙ୍କ ଶାସନ ।

Leave A Reply

Your email address will not be published.