ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରପୃଷ୍ଠରେ ଇତିହାସ ରଚିଛି ଭାରତ । ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ସାରା ବିଶ୍ୱରୁ ଶୁଭୁଛି ଶୁଭେଚ୍ଛାର ସୁଅ । ଏହାରି ଭିତରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ପୂର୍ବରୁ ଉପହାସ କରିଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ୍ ଭାରତର ତୃତୀୟ ଚନ୍ଦ୍ର ମିସନ ‘ଚନ୍ଦ୍ରଯାନ-୩’କୁ ପ୍ରଶଂସା କରିବା ସହ ଏହାକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଇମ୍ରାନ ଖାନ୍ଙ୍କ ଶାସନ କାଳରେ ପୂର୍ବତନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଥିବା ହୁସେନ ଭାରତକୁ ଅଭିନନ୍ଦନ ଜଣାଇ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ର ଚନ୍ଦ୍ର ଅବତରଣର ପ୍ରସାରଣ କରିବାକୁ ତାଙ୍କ ଦେଶକୁ ଅନୁରୋଧ କରିଥିଲେ।
ହୁସେନ ଏକ୍ସ (ଟ୍ବିଟର)ରେ ଲେଖିଥିଲେ: ପାକିସ୍ତାନ ସରକାର ଚନ୍ଦ୍ରଯାନ-୩ର ଚନ୍ଦ୍ର ଅବତରଣର ସିଧା ପ୍ରସାରଣ କରିବା ଉଚିତ। ମାନବଜାତି ପାଇଁ ଏବଂ ବିଶେଷ କରି ଭାରତର ଜନସାଧାରଣ, ବୈଜ୍ଞାନିକ ଓ ମହାକାଶ ବିଜ୍ଞାନୀଙ୍କ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଅନେକ ଅଭିନନ୍ଦନ।’ ଜୁଲାଇ ୧୪ରେ ଇସ୍ରୋ ତୃତୀୟ ଚନ୍ଦ୍ର ଅଭିଯାନ ଆରମ୍ଭ କରିବା ପରେ ଫୱାଦ ହୁସେନ ଭାରତର ମହାକାଶ ଓ ବିଜ୍ଞାନ ସମୁଦାୟକୁ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ୨୦୧୯ରେ ଚନ୍ଦ୍ରଯାନ-୨ ବିଫଳ ହେବା ପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଭାରତୀୟ ମହାକାଶ ଏଜେନ୍ସିକୁ ନିର୍ମମ ଭାବେ ଟ୍ରୋଲ କରିଥିଲେ।