ମୁଣ୍ଡା ସମ୍ପ୍ରଦାୟକୁ ରାଜନୈତିକ ଉପେକ୍ଷା ନେଇ ଅସନ୍ତୋଷ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କର ବିଭିନ୍ନ ସାମାଜିକ ସଂଗଠନମାନଙ୍କୁ ନେଇ ବାରିପଦାସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ଭବନ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଣ୍ଡା ସମ୍ପ୍ରଦାୟର ଲୋକମାନଙ୍କୁ ଚଳିତ ବର୍ଷ ୨୦୨୪ ସାଧାରଣ ନିର୍ବାଚନରେ କୈାଣସି ରାଜନୈତିକ ଦଳ ଟିକେଟ ବଣ୍ଟନରେ ପାତର ଅନ୍ତର କରାଯାଇ ଟିକେଟ ଦେଇ ନଥିବାରୁ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଶ୍ରୀଯୁକ୍ତ ବୀରଭଦ୍ର ସିଂଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଦୀର୍ଘ ବର୍ଷ ହେବ ଓଡ଼ିଶା ବିଧାନସଭାରେ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କର ପ୍ରତିନିଧିତ୍ଵ ରହୁନାହିଁ । ଯାହାଫଳରେ କି ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କର ଭାଷା ଓ ସଂସ୍କୃତିର ବିକାଶ ନିମନ୍ତେ ବିଧାନସଭାରେ କେହି ବି ପ୍ରସ୍ତାବ ଦେଉନାହାନ୍ତି ।

ଯେପରିକି ଗତ ଜୁଲାଇ ମାସ ୧୧ ତାରିଖ ଭୁବନେଶ୍ୱରସ୍ଥିତ ସଚିବାଳୟର ତୃତୀୟ ମହଲାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଓଡ଼ିଶା ସରକାରଙ୍କ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ହୋ, କୁଇ ଏବଂ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ଵୀକୃତି ଦେବା ନିମନ୍ତେ ସୁପାରିଶ କରାଯାଇଥିବା ବେଳେ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ବାବଦରେ କୈାଣସି ଆଲୋଚନା କରାଗଲା ନାହିଁ ।ଏହାର ମୁଖ୍ୟ କାରଣ ହେଉଛି ଓଡ଼ିଶା ବିଧାନସଭାରେ ତଥା ଓଡ଼ିଶା ସରକାରଙ୍କ ଜନଜାତି ଉପଦେଷ୍ଟା ପରିଷଦରେ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କର ପ୍ରତିନିଧିତ୍ଵ ନଥିଲା । ମୟୂରଭଞ୍ଜରୁ ଅନ୍ୟ ଯେଉଁ ବିଧାୟକମାନେ ବି ଉକ୍ତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଅଂଶଗ୍ରହଣ କରିଥିଲେ, ସେମାନେ ଅନ୍ୟ ସମ୍ପ୍ରଦାୟର ହୋଇଥିବାରୁ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତିକୁ ଗୁରୁତ୍ବ ଦେଇନଥିଲେ । ଏପରିକି ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ମଧ୍ୟ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କୁ ଭୁଆଁ ବୁଲେଇଛନ୍ତି । ତେଣୁ ଚଳିତ ବର୍ଷ ୨୦୨୪ ସାଧାରଣ ନିର୍ବାଚନରେ ଜଣେ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କୁ ନିର୍ବାଚିତ କରିବା ପାଇଁ ସଂଗଠନ ତରଫରୁ ନିଷ୍ପତ୍ତି ନିଆଯାଇଛି । ମୟୂରଭଞ୍ଜ ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସଂରକ୍ଷିତ ସାତ ଗୋଟି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା ସାନ୍ତାଳ, ହୋ, ବାଥୁଡି ପ୍ରଭୃତି ସମ୍ପ୍ରଦାୟରୁ ବିଭିନ୍ନ ରାଜନୈତିକ ଦଳରୁ ପ୍ରାର୍ଥୀ କରାଯାଇଥିବା କ୍ଷେତ୍ରରେ ମୁଣ୍ଡା ସମ୍ପ୍ରଦାୟରୁ ଗୋଟିଏ ମଧ୍ୟ ପ୍ରାର୍ଥୀ ଦିଆଯାଇ ନାହିଁ ।

ଏଯାବତ୍ ବାଙ୍ଗିରିପୋଷି ଏବଂ ସାରସକଣା ନିର୍ବାଚନମଣ୍ଡଳୀରେ କୈାଣସି ରାଜନୈତିକ ଦଳ ନିଜ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଉକ୍ତ ଦୁଇ ନିର୍ବାଚନ ମଣ୍ଡଳୀରୁ ମୁଣ୍ଡା ସମ୍ପ୍ରଦାୟରୁ ପ୍ରାର୍ଥୀ ଦେବା ନିମନ୍ତେ ବହୁଦିନ ଧରି ଦାବି କରାଯାଇଆସୁଅଛି । ଏଠାରେ ମୁଣ୍ଡା ସମ୍ପ୍ରଦାୟର ପ୍ରାର୍ଥୀଙ୍କୁ ଟିକେଟ ମିଳିବା ନେଇ ସମସ୍ତ ସଂଗଠନ ଆଶା ପ୍ରକାଶ କରିଥିବା ବେଳେ ଏଥର ମଧ୍ୟ ଉପେକ୍ଷା କରାଗଲେ ପ୍ରମୂଖ ରାଜନୈତିକ ଦଳ ଗୁଡିକ ବିପର୍ଯ୍ୟୟର ସମ୍ମୁଖୀନ ହେବେ ବୋଲି ମତପ୍ରକାଶ କରିଥିଲେ । ଏବଂ ଯେଉଁ ରାଜନୈତିକ ଦଳ ଜଣେ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରାଇବ, ମୟୂରଭଞ୍ଜର ସମସ୍ତ ମୁଣ୍ଡାରୀ ଭାଷାଭାଷୀ ଲୋକ ଉକ୍ତ ଦଳକୁ ହିଁ ସମର୍ଥନ କରିବେ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତ ସ୍ତରରେ ନିର୍ବାଚିତ ହୋଇଥିବା ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟମାନେ ମଧ୍ୟ ଯଦି ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କର ସାମୂହିକ ସ୍ବାର୍ଥକୁ ଗୁରୁତ୍ବ ନଦେଇ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଅନ୍ୟ କୋଉ ଦଳକୁ ସମର୍ଥନ କରୁଥିଲେ ସେମାନଙ୍କୁ ବିରୋଧ କରାଯିବ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରୀୟ ସଚେତନତା ବୈଠକ ଏବଂ ବ୍ଲକ ସ୍ତରୀୟ ବୈଠକ ଆୟୋଜନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.