ଯୁବବର୍ଗଙ୍କ ଜିଲ୍ଲାସ୍ତରୀୟ ଯୁବ ପର୍ଲ୍ୟାମେଣ୍ଟ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ନେହେରୁ ଯୁବ କେନ୍ଦ୍ର (ଏନୟାଇକେ) ସଂଗଠନ ଦ୍ଵାରା ଜିଲ୍ଲାସ୍ତରୀୟ ପଡୋଶୀ ଯୁବ ସଂସଦ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ଅଫିସର ଏମ. ଭିଗନେସ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ଃ ସଂଘମିତ୍ରା ପଟ୍ଟନାୟକ, ଗଡିଆ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ଦୀପ କୁମାର ଚାନ୍ଦ, ନେହେରୁ ଯୁବ କେନ୍ଦ୍ରର ଏପିଏସ ଅଶୋକ କୁମାର ସାହୁ, ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ, ଏମପିସି ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଅନାମ ଚରଣ ରାଉଳ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଯୁବବର୍ଗଙ୍କୁ ଉତ୍ସାହିତ କରିଥିଲେ।

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଇଂ ଟୁଡୁ ଯୁବପିଢିଙ୍କୁ ଉତ୍ସାହିତ କରିବା ସହିତ ଆଜିର ଯୁବପିଢି ଦେଶର ଆଗାମୀ ଭବିଷ୍ୟତ ଅଟନ୍ତି। ଦେଶ ଗଠନରେ ଯୁବକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁକରି କିଭଳି ଯୁବପିଢି ଆଗକୁ ବଢ଼ିପାରିବେ ସେ ବିଷୟରେ ଆଲୋଚନା କରିଥିଲେ। ଅନ୍ୟ ଅତିଥି ମାନେ ଯୁବକମାନଙ୍କ ଉତ୍ସାହ, ସାହସ, ସୃଜନଶୀଳତା ସମାଜକୁ ଅନୁପ୍ରାଣିତ କରିବା ସହ ଦିଗଦର୍ଶନ ଦେଇଥାଏ ବୋଲି କହିଥିଲେ। ଏଥିପାଇଁ ବିକଶିତ ଭାରତର ନିର୍ମାଣରେ ଯୁବଶକ୍ତିଙ୍କ ଏକଜୁଟ କରିବାର ବଡ ସୁଯୋଗ ଦେଇଛି। କିଭଳି ଆଗକୁ ଯୁବ ବର୍ଗମାନେ ନିଯୁକ୍ତି ପାଇପାରିବେ ସେ ବିଷୟରେ ମଧ୍ୟ ଧାରଣା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କ୍ରମରେ ମୟୁରଭଞ୍ଜ ଜିଲ୍ଲାର ୨୬ଗୋଟି ବ୍ଲକରୁ ବିଭିନ୍ନ କଲେଜ, ଯୁବ ଅନୁଷ୍ଠାନର ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ। ବିକଶିତ ଭାରତ-୨୦୪୭ ଗଠନ ନେଇ ୪ଗୋଟି ପର୍ଯ୍ୟାୟର ଆଲୋଚନା ଗବେଷକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ପ୍ରତିଭାବାନ ଯୁବଶକ୍ତିଙ୍କ ପ୍ରତିଭାର ପରିସ୍ଫୁଟନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ଯୁବ ପ୍ରତିଭା ମାନଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ଜାତୀୟ ଯୁବ ଉତ୍ସବରେ ଚିତ୍ରାଙ୍କନରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜ୍ୟୋତିରଞ୍ଜନ ମହାପାତ୍ର, ସକ୍ରିୟ ସ୍ବେଚ୍ଛାସେବୀ କିରଣ କୁମାର ମହାନ୍ତ, ସାମାଜିକ କର୍ମୀ କୁମାରେଶ ନାୟକ, ଜାତୀୟ ତିରନ୍ଧାଜ ପ୍ରତିଯୋଗିତାରେ ଇଷ୍ଟ ଜୋନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁନିଧି କଶ୍ୟପ ଜେନାଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଛି। ଏଥି ସହିତ ସ୍ବେଚ୍ଛାସେବୀ ସାଇରଞ୍ଜନ ଲେଙ୍କା, କ୍ଷୀରୋଦ ପଣ୍ଡା, ରାକ୍ଷୀ ପୂର୍ଣ୍ଣିମା ଭଞ୍ଜଦେଓ, ଦିବ୍ୟାନୀ ବେହେରା, ଅଭିଷେକ ଦାସ, ପାଏଲ ମଣ୍ଡଳ ଆଦି ୧୨ଜଣ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲାସ୍ତରୀୟ ପଡ଼ୋଶୀ ଯୁବ ପାର୍ଲ୍ୟାମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁବବର୍ଗ ଅଂଶଗ୍ରହଣ କରିଥିଲେ। ସର୍ବ ଶେଷରେ ମୟୁରଭଞ୍ଜ ଜିଲ୍ଲାର ନେହେରୁ ଯୁବ କେନ୍ଦ୍ର କର୍ମଚାରୀ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଓ ନେହେରୁ ଯୁବକେନ୍ଦ୍ରର କର୍ମଚାରୀ ମାନଙ୍କ ସହଯୋଗରେ ସାଫଲ୍ୟ ମଣ୍ଡିତ ହୋଇଛି।

Leave A Reply

Your email address will not be published.