ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଓ ଲୋକସେବା ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହାନ ଜନ ନାୟକ, ଅଧୁନିକ ଓଡିଶାର ଖାରବେଳ, ଇଣ୍ଡୋନେସିଆର ଭୂମିପୁତ୍ର ତଥା କଳିଙ୍ଗ ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ଅବସରରେ ମୟୂରଭଞ୍ଜ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ପଞ୍ଚାୟତରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ବିଷୟରେ ଭିଡିଓ ପ୍ରଦର୍ଶିତ ହୋଇଥିଲା।

କାର୍ଯ୍ୟକ୍ରମକୁ ସଂଚାଳନା କରୁଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ସମସ୍ତ ଅତିଥିଗଣଙ୍କୁ ସ୍ୱାଗତ କରିହିଲେ । ଏବଂ ସ୍ୱାଗତ ଅଭିଭାଷଣ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ସ୍ୱାଇଁ, ଓ.ପ୍ର.ସେ.,(ବ) କହିଥିଲେଯେ ଗଣତନ୍ତ୍ରରେ ଜନସାଧାରଣଙ୍କୁ ଯେଭଳି ବିଭିନ୍ନ ସରକାରୀ ସେବା ସୁବିଧାରେ ମିଳିପାରିବ ତାହା ସରକାରଙ୍କ ବଡ ଦାୟିତ୍ୱ । ପଂଚାୟତିରାଜ ବ୍ୟବସ୍ଥା ଦ୍ୱାରା ଗ୍ରାମାଂଚଳରେ ରାସ୍ତାଘାଟ ଠାରୁ ଆରମ୍ଭ କରି ପକ୍କା ଘର, ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେଉଥିବା କଥା ସେ କହିଥିଲେ । ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥାକୁ ପହଂଚାଇବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସେତେବେଳେ ଓଡିଶାର ଜିଲ୍ଲା ସଂଖ୍ୟାକୁ ୩୦ରେ ପହଂଚାଇବା ପାଇଁ ଯେଉଁ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତି ନେଇଥିଲେ ତାହାର ଆବଶ୍ୟକତା କେତେ ଅଧିକ ଥିଲା ତାହା ଆଜି ଅନୁଭବ କରି ହୁଏ ବୋଲି ନିଜ ବକ୍ତବ୍ୟରେ ସେ କହିଥିଲେ ।

ଭାରତବର୍ଷର ଆତ୍ମା ତାହାର ଗ୍ରାମରେ ରହିଛି ବୋଲି ଗାନ୍ଧୀ କହିଥିବା ବେଳେ ପଂଚାୟତିରାଜ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦ୍ୱାରା ଜିଲ୍ଲା, ରାଜ୍ୟ ତଥା ଦେଶର ଉଲ୍ଲେଖନୀୟ ପ୍ରଗତି ହୋଇପାରିଥିବା ଶ୍ରୀ ସ୍ୱାଇଁ କହିଥିଲେ । ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସାହସିକତା ଏବଂ ଓଡିଶାରେ ପଂଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ତାଙ୍କର ବିଶେଷ ଅବଦାନ ଉପରେ ଆଲୋକପାତ କରିଥିଲେ । ପଂଚାୟତିରାଜ ବ୍ୟବସ୍ଥାର ପ୍ରକୃତ ସୁଫଳ ପାଇବା ପାଇଁ ଗ୍ରାମାଂଚଳରେ ଏ ସମ୍ପର୍କରେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ, ବାରିପଦା ଆଇ.ଟି.ଡ଼ି.ଏ, ପ୍ରକଳ୍ପ ପ୍ରସାଶକ, ଶ୍ରୀ ରାମଚନ୍ଦ୍ର ସୋରେନ କହିଥିଲେ ଯେ, ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଓଡିଶାକୁ ପ୍ରଗତି ପଥରେ ଅଗେଇ ନେଇଥିଲେ ଓ ତାଙ୍କ ସ୍ୱପ୍ନର ସୁଦୃଢ଼, ଶସକ୍ତ ଏବଂ ରୁପାନ୍ତରିତ ଓଡିଶା ଗଠନ ନିମନ୍ତେ ସମସ୍ତେ ଆଗେଇ ଆସିବାକୁ କାମନା କରିଥିଲେ ।

ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ, ଗଡିଆ ମହାବିଦ୍ୟାଳୟ ଅଧ୍ୟକ୍ଷ, ଶ୍ରୀ ସନ୍ଦୀପ କୁମାର ଚାନ୍ଦ କହିଥିଲେଯେ ପଂଚାୟତିରାଜ ବ୍ୟବସ୍ଥା ଦ୍ୱାରା ଗ୍ରାମାଂଚଳରେ ରାସ୍ତାଘାଟ ଠାରୁ ଆରମ୍ଭ କରି ପକ୍କା ଘର, ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେଉଥିବା ସେ କହିଥିଲେ । ଜୀବନ ଜୀବିକା ପାଇଁ ଗ୍ରାମାଂଚଳରେ ଅନେକ କାର୍ଯ୍ୟ କରାଯାଉଛି । ଏହି ସବୁ କାର୍ଯ୍ୟର ସଫଳତା ଗ୍ରାମରେ ଅନେକ ପରିବର୍ତନ ଆଣିପାରିଛି ଏବଂ ଗାଁର ରୂପାନ୍ତର ହୋଇଛି । ଗ୍ରାମ ବିକାଶରେ ଆଜି ମହିଳାମାନେ ସାମିଲ ହୋଇଛନ୍ତି । ଗ୍ରାମରେ ବିକାଶର ଛବି ଉଜ୍ଜ୍ୱଳ ହୋଇଛି ।ଓଡିଶାରେ ପଂଚାୟତିରାଜ ବ୍ୟବସ୍ଥାର ପ୍ରଚଳନ ଏବଂ ଶିଳ୍ପ ଭିତିଭୂମିର ପ୍ରତିଷ୍ଠା କ୍ଷେତ୍ରରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଏ ଜାତି ସବୁଦିନ ମନେ ରଖିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହା ପରେ ଜିଲ୍ଲା ସ୍ତରୀୟ ବିଜୁ ପଟନାୟକ ପଂଚାୟତ ସଶକ୍ତିକରଣ ପୁରସ୍କାର ଶ୍ରେଷ୍ଠ ୩ଟି ପଂଚାୟତ ଯଥାକ୍ରମେ– ଯଶିପୁର (ଯଶିପୁର ବ୍ଲକ), ହାଟବଦର (କୁସୁମୀ ବ୍ଲକ) ଓ ଆଙ୍ଗର ପଡା (ରରୁଆନ ବ୍ଲକ)କୁ ମିଳିଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ-ସଦସ୍ୟା, ବିଭାଗୀୟ ଅଧିକାରୀମାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.