ଭେଜାପୁଟରେ ପାନୀୟ ଜଳ ସମସ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସେମିଳିଗୁଡା ପଞ୍ଚାୟତ ସମିତି ଅଧିନସ୍ଥ ଚାରାଙ୍ଗୁଲ ପଞ୍ଚାୟତ ଅନ୍ତର୍ଗତ ଭେଜାପୁଟରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି । ଖରାଦିନେ ଏଠାରେ ଥିବା କୂଅ ଗୁଡ଼ିକର ଜଳସ୍ତର ନିମ୍ନଗାମୀ ହେଉଥିବା ବେଳେ ହାତ ଗଣତି କେତୋଟି ନଳକୂଅ ରହିଛି । ସେଗୁଡ଼ିକ ମଧ୍ୟରୁ ଗୋଟିଏ ଦୁଇଟିକୁ ଛାଡ଼ିଦେଲେ ବାକି ନଳକୂଅ ପାଣି ମଧ୍ୟ ପିଇବା ଅନୁପଯୋଗୀ ।

ଗତ ୭/୮ ମାସ ପୂର୍ବରୁ ବସୁଧା ଯୋଜନାରେ ନଳ ଦ୍ବାରା ପାନୀୟ ଜଳ ଯୋଗାଣ ପାଇଁ ପ୍ରତି ଘର ସମ୍ମୁଖରେ ନଳ ସଂଯୋଗ କରାଯାଇଛି । ହେଲେ ଅଦ୍ୟାବଧି ଜଳ ଯୋଗାଣ ନ ହେବା ପରିତାପର ବିଷୟ । ଅସହ୍ୟ ଗରମ ଓ ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକେ ଡହଳ ବିକଳ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏହାକୁ ନେଇ ଚାରାଙ୍ଗୁଲ ସରପଞ୍ଚ ପ୍ରତିନିଧି ଙ୍କୁ ଯୋଗାଯୋଗ କରିବାରେ ବିଦ୍ୟୁତ୍ ସଂଯୋଗ ହେବା ପରେ ଜଳ ଯୋଗାଣ କରାଯିବ ବୋଲି କହିଛନ୍ତି । ତେବେ କେବେ ବିଦ୍ୟୁତ୍ ସଂଯୋଗ ହେବ ଓ କେବେ ବସୁଧା ଜଳ ଲୋକଙ୍କ ନିକଟରେ ପହଞ୍ଚିବ ତାହା ବିଭାଗୀୟ ଅଧିକାରୀ କହିପାରିବେ ବୋଲି ସେ କହିଛନ୍ତି ।

ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରେ ସେ ମଧ୍ୟ ସେଇ ସମାନ କଥା କହିଥିଲେ । ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀ ବାରମ୍ବାର ବିଦ୍ୟୁତ୍ ସଂଯୋଗ କଥା କହି ନୀରବ ରହୁଛନ୍ତି । ଆଗକୁ ଆହୁରି ଅଧିକ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ବେଳେ ଅଭାବୀ ପାନୀୟ ଜଳ ସମସ୍ୟା କୁ ଏଡ଼ାଇ ଦିଆଯାଇନପାରେ । ନଳରେ ପାଣି ଆସୁନଥିବାରୁ ଲୋକମାନେ ନଳ ଗୁଡ଼ିକୁ ଅଖା ଓ କପଡ଼ା ଗୁଡ଼ାଇ ରଖିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟ ଓ କେନ୍ଦ୍ର ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବହୁବିଦ୍ଧ ଯୋଜନା ପ୍ରଣୀତ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ବୈମାତୃକ ମନୋଭାବ ଯୋଗୁଁ ସାଧାରଣ ଲୋକେ ସେହି ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି । ତେଣୁ ଏହାକୁ ଗୁରୁତର ଭାବେ ପଦକ୍ଷେପ ଗ୍ରହଣ କରି ତୁରନ୍ତ ପାନୀୟ ଜଳ ଯୋଗାଇଦେବା ପାଇଁ ଭେଜାପୁଟ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.