ମୌସୁମୀ ପ୍ରଭାବ, ବଢ଼ିଲା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜ୍ୟରେ ପ୍ରବେଶ କରିସାରିଛି ମୌସୁମୀ ବାୟୁ। ରାଜ୍ୟର ସବୁ ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି। ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ପ୍ରବେଶ କରିବା ପରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଓ ଜଳ ପ୍ରବେଶ ବଢ଼ିଛି। ଜଳଭଣ୍ଡାରରେ ଗତକାଲି (ଗୁରୁବାର) ଜଳସ୍ତର ୬୦୦.୩୯ ଫୁଟ ଥିବାବେଳେ ତାହା ଆଜି ବୃଦ୍ଧି ପାଇ ୬୦୦.୫୬ ଫୁଟରେ ପହଞ୍ଚିଛି।

ତେବେ ଜଳ ପ୍ରବେଶ ବଢ଼ିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ସେହିପରି ଗତକାଲି ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୩୬୫ କ୍ୟୁସେକ ଜଳ ପ୍ରବେଶ କରୁ ଥିବାବେଳେ ଆଜି ଏହା ବୃଦ୍ଧି ପାଇ ୯୫୨୩ରେ ପହଞ୍ଚିଛି। ଛତିଶଗଡ଼ର କଲମା ବ୍ୟାରେଜ୍‌ର କିଛି ଗେଟ୍ ଖୋଲା ଥିବାବେଳେ ଏଠାରୁ ୪୦୦୦ ହଜାରୁ ଅଧିକ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି। କେଲୋ ଡ୍ୟାମର କିଛି ଗେଟ୍‌ ଖୋଲାଥିବାବେଳେ ଉପମୁଣ୍ଡରେ ବର୍ଷା ମଧ୍ୟ ହୋଇଛି। ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ୧୩.୪୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ତଳମୁଣ୍ଡରେ ୨୫.୫୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ହୀରାକୁଦରେ ୬୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାରି ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି କ୍ରମରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କଟକ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ,  କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ମାଲକାନାଗିରି, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଉ ଉକ୍ତ ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.