ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କଲବଲ କରୁଛି ଖରା ।   ସକାଳୁ ସକାଳୁ ତତଲା ପବନ ଯୋଗୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା। ତେବେ ଏହାର ମୁକାବିଲା ନିମନ୍ତେ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର | ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହ ବଢିଛି ଅଂଶୁଘାତ ଆଶଙ୍କା ।

ଆଜି ୧୪ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ୭ ଓ ୮ ତାରିଖ ଅର୍ଥାତ୍ ଆସନ୍ତାକାଲିଠାରୁ ଦୁଇଦିନ ତାତିରେ ବ୍ରେକ୍ ଲାଗିବ । ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଗଣମାଧ୍ୟମକୁ ସୂଚନା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅଂଶୁଘାତଜନିତ ଚିକିତ୍ସା ପାଇଁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି, ସିଏଚସିରେ ୨ଟି ଏବଂ ପିଏଚସିରେ ଗୋଟିଏ ଲେଖାଏଁ ବେଡର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ କୁଲର ବା ଏସି ରହିବ । ପର୍ଯ୍ୟାପ୍ତ ପରିମାଣର ପାଣି ରହିବ ଓ ଓଆରଏସ୍‌ ବି ମହଜୁଦ ରହିବ।

ଏଥିସହ ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବା ନିମନ୍ତେ ସମସ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଂଶୁଘାତ ରୋକିବାକୁ ଖରାରେ ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି। ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ରଖିବା ସହ ବିହୀତ ପଦକ୍ଷେପ ନେବାକୁ ସମସ୍ତ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରମ ବିଭାଗ। ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ମହାନଗର ନିଗମ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Leave A Reply

Your email address will not be published.