ବିମଳାଙ୍କ ଶକ୍ତିପୀଠରେ ଦୁର୍ଗାପୂଜା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ ବିମଳାଙ୍କ ପୀଠ । ବିମଳାଙ୍କ ପୀଠରେ ଦୁର୍ଗାପୂଜା ଅନେକ ଧୁମଧାମରେ ପାଳନ କରାଯାଏ । ଯଦି ବିମଳାଙ୍କ ପୀଠ କଥା ଆଲୋଚନା କରିବା, ତେବେ ମା’ ବିମଳାଙ୍କ ଅବସ୍ଥିତି ଯୋଗୁଁ ଶ୍ରୀକ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି। ବର୍ଷକର ବାର ମାସ ମଧ୍ୟରେ ପଡୁଥିବା ବିଭିନ୍ନ ଉତ୍ସବ ମଧ୍ୟରେ ଦେବୀ ବିମଳାଙ୍କ ଆଶ୍ୱିନ ମାସର ସାର୍ବଜନିନ ଦୁର୍ଗା ପୂଜାର ଷୋଳହଦିନ ବ୍ୟାପି ପୂଜାବିଧି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ସ୍ୱତନ୍ତ୍ର ଭାବରେ ଅନୁଷ୍ଠିତ ହୋଇଥାଏ । ବିମଳାଙ୍କର ସହସ୍ରାକୁମ୍ଭାଭିଷେକର ପୂଜାବିଧିର ସ୍ୱତନ୍ତ୍ର ନୀତି ନିୟମ ଅନୁସାରେ ଶୁଭାରମ୍ଭ ହୁଏ ଷୋଳହ ପୂଜାର ବିଧିବିଧାନ ।

ଆଶ୍ୱିନ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଠାକୁରାଣୀଙ୍କର ସହସ୍ରାକୁମ୍ଭାଭିଷେକର ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇ ଷୋଳ ଦିବସୀୟ ଦୁର୍ଗାପୂଜାର ଦୈନଦିନ ପୂଜାବିଧି ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିରରେ ଏହି ଦିବସ ଅବସରରେ ସକାଳଧୂପ ଉଠିବା ପରେ ଭଣ୍ଡାର ଘରୁ ଦୁର୍ଗା ଆଜ୍ଞାମାଳ ପ୍ରାପ୍ତ ହୋଇ ପତି ମହାପାତ୍ର ସେବାୟତଙ୍କଦ୍ୱାରା ସୋମନାଥ ମଣ୍ଡପ ଖଟ ଉପରେ ବିଜେ ହୁଅନ୍ତି। ସେଠାରେ ପଣ୍ଡା, ପତି ଓ ମୁଦିରସ୍ତ ଆଦି ସେବାୟତମାନେ ଆଚାର୍ୟ୍ୟ ବ୍ରହ୍ମାବରଣ ହୋଇ ଦୁର୍ଗାଦେବୀଙ୍କୁ କୋଠା ଭୋଗ ପାଣିଆ ଦେଇଥିବା ଏକ ହଜାର ଗରା ପାଣିରେ ସ୍ନାନ କରାଇବା ପରେ ଠାକୁରାଣୀଙ୍କ ଶ୍ରୀଅଙ୍ଗ ପୋଛାଯାଇ ନୂଆଲୁଗା ଲାଗି ସହିତ ବେଶବିଧି ସମ୍ପନ୍ନ ହୁଏ ଏବଂ ପାଣି ପକାଯାଇ ସେଠାରେ ମୁଦିରସ୍ତ ପ୍ରସାଦ ଲାଗି କରିବା ସହିତ ପଣ୍ଡା ସେବାୟତ ଷୋଡ଼ଷ ଉପଚାରରେ ଶୀତଳ ଭୋଗ ଅର୍ପଣ କରାଯାଏ । ପରେ ବନ୍ଦାପନା ବିଧି ଶେଷ କରାଯାଇ ଦୁର୍ଗାଦେବୀଙ୍କୁ ଭଣ୍ଡାର ଦ୍ୱାରଠାରେ ବିଜେକରାଯାଏ। ସେଠାରେ ଶ୍ରୀବାଳ ପୁରୁଷୋତ୍ତମ ଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବା ସହିତ କୋଠସୁଆଁସିଆ ଦେଇଥିବା ଭଦ୍ରାସନରେ ଦୁର୍ଗାଦେବୀଙ୍କ ସହିତ ଏକତ୍ର ରୁନ୍ଧାଯାଇ ଜୟବିଜୟ ଦ୍ୱାର ଦେଇ ଝୁଲଣମଣ୍ଡପ ନିକଟରେ ଥିବା ପାଲିଙ୍କିରେ ଉଭୟ ଦୈବ-ଦେବୀଙ୍କୁ ବିଜେ କରାଯାଏ ।

ଏହି ସମୟ ମଧ୍ୟରେ ମା’ ବିମଳାଙ୍କର ସହସ୍ର କୁମ୍ଭବରଣ ପୂଜାବିଧି ସଂପୂର୍ଣ୍ଣ ହୋଇ ବ୍ରହ୍ମାବରଣ ପାଇଁ ବରୁଣ ପୂଜା, ଆଚାର୍ୟ୍ୟ ବରଣ, ସ୍ୱସ୍ତିବଚନ, ଚଣ୍ଡିବରଣ ସଂକଳ୍ପ ପରେ ପାଣି ପଡ଼ି ଓ ପାହାଡା ପଡ଼ି ଭୋଗବଢାଯାଇ ମା’ ବିମଳାଙ୍କୁ ଷୋଡ଼ଷ ଉପଚାରରେ ଭୋଗ କରାଯାଏ । ଏହା ପରେ ବିମଳା ମନ୍ଦିରରେ ବିଜେହୋଇଥିବା ଠାକୁରଠାକୁରାଣୀ ମନ୍ଦିର ଖଟ ଉପରେ ବିଜେ କରନ୍ତି। ପୂର୍ବରୁ ଭିତରଚ୍ଛ ମହାପାତ୍ର ସେବାୟତ ରୁପା ପିଙ୍ଗଳାରେ କର୍ପୂରଜଳ ଲାଗିକରାଇବେ ଠାକୁରଠାକୁରାଣୀଙ୍କୁ । ସେଠାରେ ପାଣିପଡ଼ି ଶୀତଳ ଭୋଗ ମଣୋହି କରାଯିବା ସମେତ ବନ୍ଦାପନା ନୀତି ସମାପନ ହେବ। ମହାପ୍ରଭୁଙ୍କ ଭିତରେ ରାତ୍ର ଚନ୍ଦନଲାଗି ଶେଷ ହେବା ପରେ ବିମାନବଡୁମାନେ ଦିଅଁମାନଙ୍କୁ ବାହୁଡା ବିଜେ କରାନ୍ତି।

Leave A Reply

Your email address will not be published.