ଜିଲ୍ଲା ପରିଷଦ ଆକାଉଣ୍ଟରୁ ସାଢ଼େ ୯ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ପରିଷଦର ଡି.ଏମେ.ଫ୍ ଫୋଣ୍ଡ ରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ହଡ଼ପ ଅଭିଯୋଗ। ବାରିପଦା ସହର ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ର ମୁଖ୍ୟ ଶାଖା ରୁ ଟ୍ରାଞ୍ଜେକସନ୍ ହୋଇଛି ଏହି କୋଟି କୋଟି ଟଙ୍କା। ଚଳିତ ମାସ ୧୦ ଓ ୧୮ ତାରିଖରେ ୪ ଟି ଚେକ୍ ମାଧ୍ୟମରେ ନିର୍ଦ୍ଦିଷ୍ଟ ଦୁଇଟି ବେନାମୀ ସଂସ୍ଥାକୁ ଏହି ଟଙ୍କା ଟ୍ରାନ୍ସଫର କରାଯାଇଛି। ଭଞ୍ଜପୁର ଥାନାରେ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ଲିଖିତ ଅଭିଯୋଗ ପରେ ଘଟଣାର ତଦନ୍ତ ଜାରି ରହିଛି। ଏକଳାଳୀନ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଟ୍ରାଞ୍ଜେକସନ୍ ହୋଇଥିବା କାରଣରୁ ଘଟଣା ର ତଦନ୍ତ କରୁଛି EOW। ବ୍ୟାଙ୍କ୍ ଅଫ ଇଣ୍ଡିଆ ବାରିପଦା ଶାଖାରେ ମୟୂରଭଞ୍ଜ ଜିଲ୍ଲା ପରିଷଦର ଆକାଉଣ୍ଟ ରହିଥିବା ଏବଂ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ମିଳୁଥିବା କୋଟି କୋଟି ଟଙ୍କାର ଅନୁଦାନ ଅର୍ଥକୁ ବ୍ୟାଙ୍କ୍ ଅଫ ଇଣ୍ଡିଆ ବାରିପଦା ଶାଖା ଆକାଉଣ୍ଟରେ ରଖାଯାଇ ଆବଶ୍ୟକ ମୁତାବକ ଅର୍ଥ ଉଠା ଯାଉଥିଲା ।

ମାତ୍ର ଚଳିତ ଏପ୍ରିଲ ମାସରେ ଗତ ୧୦ ତାରିଖ ଠାରୁ ୧୮ତାରିଖ ମଧ୍ୟରେ ଏହି ଆକାଉଣ୍ଟର ଜିଲ୍ଲା ଖଣିଜ ଫାଉଣ୍ଡେସନ ଟ୍ରଷ୍ଟ ଫୋଣ୍ଡସ୍ ରୁ ଏହି ଟଙ୍କା ହଡ଼ପ କରାଯାଇଛି। ସବୁ ଚେକ୍ ରେ ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଙ୍କର ଦସ୍ତଖତ ରହିଥିବା ଜଣାଯାଇଛି। ପ୍ରଥମେ ଗତ ୧୦ ତାରିଖରେ ଚେକ୍ ନଂ- ୦୧୭୭୯୫ ଦ୍ୱାରା ବେନିଫିସାରି- PT CONSTRUCTION AND SUPPLIER (Beneficiary Ac No- 60470391679) ଏକାଉଣ୍ଟ କୁ ୨,୬୮,୪୨,୩୦୦ ଟଙ୍କା ଟ୍ରାସ୍ଫୋର କରାଯାଇଥିବା ବେଳେ ଚେକ୍ ନମ୍ବର-୦୧୭୭୯୬ ଦ୍ୱାରା ବେନିଫିସାରି-SK ENTERPRISE (Ac No- 1003110000021) ଏକାଉଣ୍ଟ କୁ ୧,୮୪,୨୭,୪୦୦ ଟଙ୍କା ପିଠାଯାଇଥିଲା। ସେହିଭଳି ଗତ ୧୮ ତାରିଖରେ ଚେକ୍ ନଂ- ୧୭୭୯୮ ଜରିଆରେ ବେନିଫିସାରି-PT CONSTRUCTION AND SUPPLIER ର (Beneficiary Ac No- 60470391679 I) ଆକାଉଣ୍ଟ କୁ ୩,୧୫,୭୪,୨୦୦ ଟଙ୍କା ଟ୍ରାସ୍ଫୋର ହୋଇଛି ଏବଂ ଚେକ୍ ନଂ-୦୧୭୭୯୭ ଜରିଆରେ ବେନିଫିସାରି- SK ENTERPRISES ର (AC No- 10031100000215) ଆକାଉଣ୍ଟ କୁ ୧,୮୮,୩୨,୭୦୦ ଟଙ୍କା ପଠାଯାଇଛି। ଏହି ଏକାଉଣ୍ଟ ଗୁଡିକ ମଧ୍ୟରେ ଗୋଟିଏ ଚଣ୍ଡୀଗଡ଼ ରାୟପୁର ସହରରେ ଥିବା ବ୍ୟାଙ୍କ ଅଫ ମହାରାଷ୍ଟ୍ର ହୋଇଥିବା ବେଳେ ଅନ୍ୟଟି ପଶ୍ଚିମବଙ୍ଗ ନିଶ୍ଚିନ୍ତପୁର ଠାରେ ଥିବା ପଞ୍ଜାବ ଏଣ୍ଡ ସିଣ୍ଡ ବ୍ୟାଙ୍କ ର ବୋଲି ଜଣାପଡିଛି। ତେବେ ମାତ୍ର ୮ ଦିନ ମଧ୍ୟରେ ଏତେ ଟଙ୍କା ଟ୍ରାଞ୍ଜେକସନ୍ ହେବା ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ସେ ଏନେଇ ପୋଲିସ ର ଦ୍ୱାରସ୍ଥ ହୋଇଥିଲେ।

ନକଲି ଚେକ୍ ମାଧ୍ୟମରେ ଜିଲ୍ଲା ପରିଷଦର ବିପୁଳ ପରିମାଣର ଏହି ଟଙ୍କାକୁ ଚଞ୍ଚକତା ପୂର୍ବକ କେହି ହଡ଼ପ କରିଥିବା ଜଣା ପଡିବା ପରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଭଞ୍ଜପୁର ଥାନାରେ ୯୫/୧୯.୦୪.୨୪ ରେ ଏକ ମାମଲା ରୁଜୁ କରାଯାଇଛି ଏବଂ EOW ଏହାର ତଦନ୍ତ କରୁଛି। ତେବେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଆକାଉଣ୍ଟରୁ ଏହି ବଡ଼ ଧରଣର ଜାଲିଆତି ଘଟଣା ପଛରେ କାହାର ହାତ ରହିଛି ଏବଂ ଏହାର ମାଷ୍ଟ୍ର ମାଇଣ୍ଡ କିଏ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ଯୋଜନାବଦ୍ଧ ଘଟଣା ବୋଲି ଅନୁମାନ କରାଯାଉଛି। ଏବଂ ଏଥିରେ କିଛି ବ୍ୟାଙ୍କ କର୍ମଚାରୀ ଓ ସରକାରୀ ଅଧିକାରୀ ଙ୍କର ସମ୍ପୃକ୍ତି ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ତେବେ ଏହି ଘଟଣା ର ସତ୍ୟାସତ୍ୟ EOW ର ତଦନ୍ତ ପ୍ରକ୍ରିୟା ଉପରେ ନିର୍ଭର କରୁଥିବା ବେଳେ ଘଟଣାର ରୂପରେଖ କଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.