ଆଜି କୃଷକ ସଂଗଠନର ଦିଲ୍ଲୀ ଚଲୋ ଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି କୃଷକ ସଂଗଠନର ଦିଲ୍ଲୀ ଚଲୋ ଯାତ୍ରା । କେନ୍ଦ୍ର ସରକାରଙ୍କ କୃଷକ ମାରଣନୀତିକୁ ବିରୋଧ କରି ଗର୍ଜିବେ ଚାଷୀ । ଆଇନରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଦାବି ନେଇ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନର ଚାଷୀ ଆନ୍ଦୋଳନ ଡାକରା ଦେଇଛନ୍ତି । ଆଜି ରାଜଧାନୀରେ ରଣହୁଙ୍କାର ଦେବେ ପ୍ରାୟ ୨ଶହରୁ ଅଧିକ କୃଷକ ସଂଗଠନ ।

ଦିନ ୧୦ଟା ବେଳେ ଆନ୍ଦୋଳନ ଥିବା ବେଳେ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି ପ୍ରାୟ ୨୦ ହଜାର ଚାଷୀ । MSP ଏବଂ କୃଷି ଓ କୃଷକଙ୍କ ସୁରକ୍ଷା ନେଇ ଆଇନ୍ ଆଣିବାକୁ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା । ତେବେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି ।ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିଲ୍ଲୀରେ ଏକ ମାସ ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି । ଏଥିସହ ରାଜଧାନୀରେ ଭିଡ ଜମାଇବା ଓ ଟ୍ରାକ୍ଟର ପ୍ରବେଶ ଉପରେ କଟକଣା ଲାଗିଛି । ସମସ୍ତ ସୀମା ସିଲ୍ କରାଯାଇଛି ।

ସୋମବାର ରାତିରେ କୃଷକ ସଂଗଠନର ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା । କିନ୍ତୁ ଏହି ଆଲୋଚନା ସଫଳ ହୋଇନାହିଁ । ପଞ୍ଜାବ କିଶାନ ମଜଦୁର ସଂଘର୍ଷ କମିଟିର ସାଧାରଣ ସମ୍ପାଦକ ସୌରଭ ସିଂ କହିଛନ୍ତି, ”ମନ୍ତ୍ରୀଙ୍କ ସହ ବୈଠକ ପ୍ରାୟ 5 ଘଣ୍ଟା ଧରି ଚାଲିଥିଲା। ଆମେ ସେମାନଙ୍କ ସାମ୍ନାରେ ଏକ ଏଜେଣ୍ଡା ଉପସ୍ଥାପନ କରିଛୁ। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଇ ପାରିନଥିଲେ। ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସରକାର ଆମକୁ କହୁଛନ୍ତି ଏବଂ ଆଲୋଚନା ପାଇଁ ସମୟ ମାଗୁଛନ୍ତି । 2 ବର୍ଷ ପୂର୍ବେ ସେମାନେ ଆମକୁ ସମୟ ମାଗିଥିଲେ, ଯେତେବେଳେ କୃଷକଙ୍କ ଆନ୍ଦୋଳନ ଶେଷ ହୋଇଥିଲା । ବର୍ତ୍ତମାନ କିନ୍ତୁ ଆମେ ସମୟ ଦେବୁ ନାହିଁ । ଯଦି ଦୃଢ ପ୍ରସ୍ତାବ ଅଛି ତେବେ ଆମେ ସମୟ ଦେବା ବିଷୟରେ ଚିନ୍ତା କରିବୁ । କିନ୍ତୁ କେନ୍ଦ୍ର ସରକାରଙ୍କ ପାଖରେ ସେମିତି କିଛି ପ୍ରସ୍ତାବ ନାହିଁ । ”

Leave A Reply

Your email address will not be published.