ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ୟାକ୍ସି ଗଭୀର ଖାଇକୁ ଖସିପଡିବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।  ଶୁକ୍ରବାର ଦିନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଏକ ଯାତ୍ରୀବାହୀ କ୍ୟାବ ଗଭୀର ଖାଇକୁ ଖସି ପଡ଼ିବାରୁ ୧୦ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ୧୦ ଜଣ ଯାତ୍ରୀ ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାମବନର ବ୍ୟାଟେରୀ ଚାଶମା ନିକଟରେ ଟ୍ୟାକ୍ସିଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା। ଖବର ପାଇ ସ୍ଥାନୀୟ ପୁଲିସ୍, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ଏବଂ ରାମବନର ସିଭିଲ୍ କୁଇକ୍ ରେସପନ୍ସ ଟିମ୍ (QRT) ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।  ପ୍ରବଳ ବର୍ଷା ମଧ୍ୟରେ ଉଦ୍ଧାରକାରୀ ଟିମ୍ ସମସ୍ତ ମୃତଦେହ ଉଦ୍ଧାର କରିଛନ୍ତି।

ମୃତକଙ୍କ ମଧ୍ୟରୁ ୨ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ଜଣାପଡିନାହିଁ। ପରିଚୟ ମିଳିଥିବା ମୃତକ ଦୁଇ ଜଣ ହେଉଛନ୍ତି ଗାଡ଼ି ଚାଳକ ୪୭ ବର୍ଷୀୟ ବଲୱାନ ସିଂହ ଓ ଅନ୍ୟଜଣେ ବିହାରର ବିପିନ ମୁଖିଆ ।  ଦୁର୍ଘଟଣାକୁ ନେଇ ପୁଲିସ ତଦନ୍ତ କରୁଥିବା ବେଳେ ଲାଗାତାର ବର୍ଷା ହେଉଥିବାରୁ ଚାଳକ ନିୟନ୍ତ୍ରଣ ହରାଇଥିବା ସନ୍ଦେହ କରୁଛି।

Leave A Reply

Your email address will not be published.