ଶିମିଳିପାଳରେ ବନାଗ୍ନି ରୋକିବା ସଚେତନତା ହେଉଛି ସଫଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରକୃତିର ଅନନ୍ୟ ଶୋଭାରାଜିରେ ଭରା ଶିମିଳିପାଳ ଅଭୟାରଣ୍ୟକୁ ବନାଗ୍ନି ଦାଉରୁ ସୁରକ୍ଷା ପ୍ରଦାନ କରିବା ଗ୍ରାମବାସୀ ମାନେ ଆଗେଇ ଆସିଛନ୍ତି। ବନାଗ୍ନିକୁ ଆୟତ୍ତ କରିବା ପାଇଁ ବନ ବିଭାଗ କର୍ମଚାରୀ ଓ ଓଡ୍ରାଫ ଟିମ ନିୟୋଜିତ ଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ସ୍ୱତ୍ୱ ପ୍ରବୃତ ଭାବେ ସାମିଲ ହୋଇଛନ୍ତି। ଗ୍ରୀଷ୍ମପ୍ରବାହ ବୃଦ୍ଧି ସମେତ ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ସ୍ଥିତି ଉପୁଜିଛି। ଯାହାର ମୁକାବିଲା କରିବା ପାଇଁ ଶିମିଳିପାଳର ପାଦଦେଶରେ ଥିବା ପିଠାବଟା ଅଞ୍ଚଳର ୫୦ଜଣ ଗ୍ରାମବାସୀ ସହଯୋଗର ହାତ ବଢ଼ାଇଛନ୍ତି। ବର୍ତ୍ତମାନ ସମୟରେ ଶିମିଳିପାଳରେ ବନାଗ୍ନି ଏକ ଆହ୍ବାନ ସୃଷ୍ଟି କରିଛି।

ଏହାର ମୁକାବିଲା ନିମନ୍ତେ ବନ ବିଭାଗ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି। ଏହିକ୍ରମରେ ଉକ୍ତ ଗ୍ରାମବାସୀ ମାନେ ଜଙ୍ଗଲର ସୁରକ୍ଷା ନିମନ୍ତେ ସହଯୋଗର ହାତ ବଢ଼ାଇଛନ୍ତି। ବନ କର୍ମଚାରୀ ଏବଂ ଓଡ୍ରାଫ୍ ଟିମର ସହିତ ମିଶି ବନାଗ୍ନିରୁ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଛନ୍ତି। ଏନେଇ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ) ସୁଶାନ୍ତ ନନ୍ଦ ଏକ୍ସ ଯୋଗେ ସେୟାର କରି ସୂଚନା ପ୍ରଦାନ କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ସମସ୍ତଙ୍କ ସହଯୋଗ ନିମନ୍ତେ ବନ ବିଭାଗ ପକ୍ଷରୁ ୨୭୩ଗୋଟି ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି। ୫୦ଜଣ ଗ୍ରାମବାସୀ ମାନେ ବନାଗ୍ନି ରୋକିବାକୁ ସାମିଲ ହୋଇଥିବା ବେଳେ ଆଗକୁ ତାହା ଆହୁରି ବୃଦ୍ଧି ପାଇବ। ଶିମିଳିପାଳ ଅଭୟାରଣ୍ୟ ତଳେ ଶୁଖୁଲାପତ୍ର ପଡିଥିବାରୁ ଗୋଟିଏ ସ୍ଥାନରେ ନିଆଁ ଲାଗିବା ମାତ୍ରେ ତାହା ସହଜରେ ବ୍ୟାପିଯାଉଛି। ଯାହାକି ବନାଗ୍ନିର କାରଣ ସାଜିଛି। କେତେ ବେଳେ ଆପେଆପେ ନିଆଁ ଲାଗୁଛି, ପୁଣି କେତେବେଳେ ମହୁଲ ଫୁଲ ସଂଗ୍ରହ ପାଇଁ ମନୁଷ୍ୟକୃତ ନିଆଁ ଲାଗୁଛି। ରିପୋର୍ଟ ଅନୁଯାୟୀ, ଶିମିଳିପାଳରେ ୨୦୧୮ରେ ୧୩୫୩, ୨୦୧୯ରେ ୧୦୦୨, ୨୦୨୦ରେ ୮୨୪, ୨୦୨୧ରେ ୪୪୩୯, ୨୦୨୨ରେ ୪୮୯, ୨୦୨୩ରେ ୧୪୫୬ ଏବଂ ଚଳିତ ୨୦୨୪ରେ ଏବେ ଯାଇଁ ୩୧୮ଟି ଫାୟାର ପଏଣ୍ଟ ଦେଖିବାକୁ ମିଳିଛି।

ଫାୟାର ପଏଣ୍ଟ ଗୁଡ଼ିକରେ ନିଆଁକୁ ଆୟତ୍ତ କରିବା ବର୍ତ୍ତମାନ ସବୁଠୁ ଆହ୍ବାନ ସାଜିଛି। ଆଉ ଅତ୍ୟାଧୁନିକ ପନ୍ଥା ପାଇଁ ବନ ବିଭାଗ ପକ୍ଷରୁ ବନାଗ୍ନିକୁ ନିୟନ୍ତ୍ରଣ କରିବାରେ ସଫଳ ହେଉଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ ପରୀକ୍ଷାମୂଳକ ଭାବେ ୬ଗୋଟି ଏଆଇ କ୍ୟାମେରା କାର୍ଯ୍ୟକାରୀ କରାଯାଇଛି। ଏଆଇ କ୍ୟାମେରା ଦ୍ବାରା ନଜର ରଖିବା ଦ୍ଵାରା ନିଆଁ ଲାଗିବା ମାତ୍ରେ ବନ ବିଭାଗକୁ ତୁରନ୍ତ ଖବର ମିଳିଯାଉଛି। ଯାହା ଫଳରେ ବନାଗ୍ନି ସମ୍ପୂର୍ଣ୍ଣ ଆୟତ୍ତ ହେଉଛି। ଏଥି ସହିତ ବନାଗ୍ନି ରୋକିବା ଲାଗି ପାଦଦେଶରେ ଥ‌ିବା ଗ୍ରାମ ଗୁଡିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଯାହାକୁ ନେଇ ଗ୍ରାମବାସୀ ମାନେ ସଚେତନ ହୋଇ ସାମିଲ ହେଉଛନ୍ତି। ବନାଗ୍ନି ପାଇଁ ୨୨ଟି ସ୍ୱତନ୍ତ୍ର ଗାଡ଼ି, ବନାଗ୍ନି ଅଞ୍ଚଳ ତ୍ଵରିତ ଚିହ୍ନଟ କରିବା ଲାଗି ୨୧୭ଟି ଭିଏଚଏଫ୍, ୯୭୫ଟି ଫ୍ଲାସ ଲାଇଟ୍, ୭୦୬ଟି ଭିଏଚଏଫ୍ ସେଟ୍, ୨୦ଟି ଅଗ୍ନିଶମ ଗାଡ଼ି, ୪୬୦ଟି ଅଗ୍ନି ନିର୍ବାପକ ଯନ୍ତ୍ର, ୭୩୩ ଏୟାର ବ୍ଲୋୟର ମେସିନ ଓ ୨୫୫ ପିପିଇ କିଟ୍ ଆଦି ଯୋଗାଇ ଦିଆଯାଇଛି। ଏଥି ସହିତ ୨୬ଜଣିଆ ଓଡ୍ରାଫ ଟିମ ନିୟୋଜିତ ରହଛନ୍ତି। ଯାହା ଫଳରେ ଶିମିଳିପାଳ ଅଭୟାରଣ୍ୟର ବନାଗ୍ନି ପଏଣ୍ଟ ନଜରକୁ ଆସିବା କ୍ଷଣି ଘଟଣାସ୍ଥଳରେ ପହଁଚି ନିଆଁକୁ ଖୁବଶୀଘ୍ର ଆୟତ୍ତ କରିବାରେ ସଫଳ ହେଉଛନ୍ତି।

Leave A Reply

Your email address will not be published.