ଓଡ଼ିଶା ଉପକୂଳରେ ଆଜିଠାରୁ ମାଛଧରା ନିଷେଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା ଉପକୂଳରେ ଆଜିଠାରୁ ମାଛଧରା ନିଷେଧ। ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିବ।  ମତ୍ସ୍ୟସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି। କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ୱର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ।

ତେବେ ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ ଦୀର୍ଘ ବର୍ଷ ହେଲା ପ୍ରତିବାଦ କରିଆସୁଥିବା ବେଳେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହି ଦୁଇମାସ ମତ୍ସଜୀବୀଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ଏବଂ କଟକଣାକୁ କଡ଼ାକଡ଼ି କରାଯିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମତ୍ସଜୀବୀ ସଂଘ ଦାବି କରିଥିଲେ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ମୌସୁମୀ ଆସିବା ପୂର୍ବରୁ ମାଛମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥାଏ। ମାଛମାନେ ଏହି ସମୟରେ ଅନୁକୂଳ ପରିବେଶରେ ଅଣ୍ଡା ଦେଇଥାନ୍ତି। ମାଛ ବଢ଼ିବାକୁ ୩/୪ ମାସ ଲାଗିଥାଏ। ଏହା ପୂର୍ବରୁ କଟକଣା ଶେଷ ହୋଇଯାଉଥିବାରୁ ମାଛର ଆକାର ବହୁତ ଛୋଟ ଥାଏ। ଏହି ସମୟରେ ସମୁଦ୍ରରେ ଟ୍ରଲର, ଗିଲେଟିନ୍‌, ଭୁଟୁଭୁଟି ଆଦି ଚଳାଚଳ ଆରମ୍ଭ ହୋଇଯାଏ। ଯାହାଦ୍ବାରା ଲକ୍ଷାଧିକ ମାଛ ଓ ଯାଆଁଳ ମରିଯାଆନ୍ତି। ମତ୍ସଜୀବୀ ବଡ଼ ମାଛ ବଦଳରେ ଛୋଟ ମାଛ ଆଣିଥାନ୍ତି। ମାଛ ଉତ୍ପାଦନ କମ୍‌ ହେବା ସହିତ ଟ୍ରଲର ମାଲିକ, ମତ୍ସଜୀବୀ, ବ୍ୟବସାୟୀ କ୍ଷତି ସହିଥାନ୍ତି। ତ୍ରୁଟିପୂର୍ଣ୍ଣ ନିୟମ ପାଇଁ ମାଛର ପ୍ରଜାତି ଦିନକୁଦିନ ହ୍ରାସ ପାଇବାକୁ ବସିଲାଣି।

Leave A Reply

Your email address will not be published.