ସାରା ରାଜ୍ୟରେ ଅସହ୍ୟ ତାତି; ସକାଳୁ ସର୍ବାଧିକ ତାପମାତ୍ରା
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି ସାରା ରାଜ୍ୟରେ। ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି।
ଆଜି ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଛି ପାରଦ। ରାଜଧାନୀ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨.୬ ରହିଛି। ୮ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ପାରାଦୀପ, ପୁରୀ ଓ କେନ୍ଦୁଝରରେ ୩୨ ଡିଗ୍ରି, ବାଲେଶ୍ୱରରେ ୩୧. ୮, ଚାନ୍ଦାବାଲିରେ ୩୧.୬, ଝାରସୁଗୁଡ଼ାରେ ୩୦.୮, ହୀରାକୁଦରେ ୩୦.୨ ଡିଗ୍ରି ରେକର୍ଡ ହୋଇଛି। ସେହିପରି ସମ୍ବଲପୁର ଓ ରାଉରକେଲାରେ ୩୦, ଗୋପାଳପୁରରେ ୨୯.୮ ଡିଗ୍ରି ରେକର୍ଡ କରାଯାଇଛି।
ଆଜିଠୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରି ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଅନ୍ୟପକ୍ଷରେ ଆସନ୍ତା ୫ ଦିନ ଯାଏ ଦିନ ତାପମାତ୍ରା ଅଧିକାଂଶ ସ୍ଥାନରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଗ୍ରୀଷ୍ମପ୍ରବାହ ନେଇ ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁର।