ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ପୁରୀ ସହର ଉତ୍ସବମୂଖର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ପୁରୀ ସହର ଉତ୍ସବମୂଖର ହୋଇଉଠିଛି। ତ୍ରିଦିନାତ୍ମକ ହୋମଯଜ୍ଞ ଚାଲିଥିବାବେଳେ ମଙ୍ଗଳବାର ମହାଯଜ୍ଞର ଦ୍ବିତୀୟ ଦିନ ରହିଛି। ଶ୍ରୀମନ୍ଦିର ଚାରି ଦ୍ବାରରେ ଚର୍ତୁବେଦ ପାଠ କରାଯାଉଛି। ପୁରା ଖଣ୍ଡମଣ୍ଡଳ ମନ୍ତ୍ରପାଠ ଏବଂ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି । ସୋମବାର ସୂର୍ଯ୍ୟଦୋୟରୁ ଅଖଣ୍ଡ ଦ୍ବୀପ ପ୍ରଜ୍ବଳନ ପୂର୍ବକ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା ।

ଭକ୍ତି ଓ ଭାବରେ ଭିଜିଲେଣି ଶ୍ରଦ୍ଧାଳୁ । ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ । ଆସନ୍ତାକାଲି ବାସ୍ତବ ରୂପ ନେବ ରାଜ୍ୟ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ । ଶ୍ରୀକ୍ଷେତ୍ର ମାଟିରୁ ବିଶ୍ବବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆଧ୍ୟାତ୍ମିକ ମହକରେ ପୁଲକିତ ହେଉଛି ଶଙ୍ଖକ୍ଷେତ୍ର ।

ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ନାମ ସଂକୀର୍ତ୍ତନରେ ଉଛୁଳି ପଡୁଛି ଚଉଦିଗ । ବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରି ଦ୍ବାର । ସିଂହଦ୍ଵାରରେ ଋକ୍ ବେଦ, ପଶ୍ଚିମରେ ସାମ ବେଦ,ଉତ୍ତରରେ ଅଥର୍ବ ବେଦ ଓ ଦକ୍ଷିଣ ଦ୍ଵାରରେ ଯଜୁର୍ବେଦ ପାଠ କରାଯାଉଛି । ଆସନ୍ତା କାଲି ସକାଳ ୭ଟା ୩୦ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ପରେ ଅପରାହ୍ନ ୧.୧୫ ରୁ ୧.୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି l ଏହି ମହାନ ଉତ୍ସବରେ ସାମିଲ ହେବା ପାଇଁ ପୁରୀକୁ ବିଭିନ୍ନ ମନ୍ଦିର, ପୀଠ ସମେତ ଦେଶ ବିଦେଶର ଅତିଥି ପହଞ୍ଚିଲେଣି । ପ୍ରାୟ ୯୦୦ ଅତିଥି ସାମିଲ ହେବେ ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ । ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ଼ ବଢ଼ିଲାଣି । ଭଜନ କୀର୍ତ୍ତନରେ କମ୍ପି ଉଠୁଛି ଚଉଦିଗ। ଜୟ ଜଗନ୍ନାଥ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହେଉଛି । କିଏ କେତେ ବେଶଭୂଷାରେ ଆସିଛନ୍ତି । ନିଜକୁ ମହାପ୍ରଭୁଙ୍କ ଚରଣରେ ସମର୍ପତ କରି କୀର୍ତ୍ତନ କରୁଛନ୍ତି ଶ୍ରଦ୍ଧାଳୁ। ଅନ୍ୟ ରାଜ୍ୟ ଓ ବିଭିନ୍ନ ଦେଶରୁ ଭକ୍ତ ବି ଆସିଲେଣି ଶ୍ରୀକ୍ଷେତ୍ର । ଆଧ୍ୟାତ୍ମିକ ଚେତନାରେ ଭିଜି ଯାଉଛନ୍ତି ସମସ୍ତେ । ଭକ୍ତି ଭାବରେ ଉଛୁଳି ପଡୁଛି ବଡ଼ଦାଣ୍ଡ । ଏହି ମହାନ ଉତ୍ସବରେ ସାମିଲ ହେବାକୁ ଆସନ୍ତାକାଲି ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି । ବନ୍ଦ ରହିବ ସମସ୍ତ ସରକାରୀ ଅଫିସ ଓ ସ୍କୁଲ, କଲେଜ ।

Leave A Reply

Your email address will not be published.