ଆରପାରିରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରପାରିରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସ ।  କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୭୯ ବର୍ଷ ହୋଇଥିଲା। ଗତକାଲି ରାତି ୧୨ଟା ୧୫ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ କମଳା ଦାସଙ୍କର ପରଲୋକ ହୋଇଛି |ପ୍ରଥମେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ କଟକର ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି କମଳା ଦାସଙ୍କ ଭଣଜା ।

କମଳା ଦାସ ଦୀର୍ଘ ଦିନରୁ ଯକୃତ ରୋଗରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଭୋଗରାଇରୁ ୩ ଥରର ବିଧାୟିକା ଥିଲେ । ଓଡ଼ିଶା ବିଧାନସଭାରେ ବିଧାୟିକା ଭାବେ କାର୍ଯ୍ୟ କରିବା ସହ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିଲେ । କମଳା ଦାସ ଦୁଇ ଥର ଜନତା ଦଳରୁ ଏବଂ ଥରେ ବିଜୁ ଜନତା ଦଳରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ୧୯୯୦ ମସିହାରେ ପ୍ରଥମ ଥର କମଳା ଦାସ ଜନତା ଦଳ ଟିକେଟରେ ଭୋଗରାଇରୁ ବିଧାନସଭା ନିର୍ବାଚନ ଲଢିଥିଲେ ଏବଂ ବିଜୟୀ ହୋଇଥିଲେ । ୧୯୯୫ ମସିହାରେ ପୁଣିଥରେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୦ ମସିହାରେ ବିଜୁ ଜନତା ଦଳରୁ ଭୋଗରାଇ ବିଧାୟିକା ନିର୍ବାଚିତ ହୋଇଥିଲେ ।

୧୯୯୦ ମସିହାରେ କମଳା ଦାସ ଶିକ୍ଷା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡିରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଜେଡି ଛାଡି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । କମଳା ଓଡି଼ଶା ବିଧାନସଭାରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ୧୯୯୦ରୁ ୧୯୯୫ ଯାଏଁ ମନ୍ତ୍ରୀ ରହିଥିଲେ । ପୁଣିଥରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ୨୦୦୦ରୁ ୨୦୦୧ ମସିହା ଯାଏଁ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.