ଓଡ଼ିଆ ନ୍ୟୁଜ୍: ମାଲବାହୀ ଟ୍ରେନ୍ର ବଗି ଲାଇନ୍ଚ୍ୟୁତ। ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ରେ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ୍ର ଗୋଟିଏ ବଗି ଲାଇନ୍ଚ୍ୟୁତ ହୋଇଛି । ସୂଚନା ଅନୁସାରେ, ବଲାଙ୍ଗୀର ପଟୁ ଆସୁଥିବା ସମୟରେ ଟିଟିଲାଗଡ଼-ସିକେର ମୁଖ୍ୟ ରେଳପଥରେ ଏହି ଅଘଟଣ ଘଟିଥିଲା। ହଠାତ୍ ଟ୍ରେନ୍ର ଗୋଟିଏ ବଗି ରେଳଧାରଣାରୁ ଖସିଯିବାରୁ ସମଗ୍ର ଲାଇନ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ରେଳ ବିଭାଗର ଅଧିକାରୀ ଏବଂ ଟେକ୍ନିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ଲାଇନ୍ଚ୍ୟୁତ ବଗିକୁ ପୁଣି ରେଳଧାରଣାକୁ ଆଣିବା ସହ ରେଳପଥକୁ ସ୍ୱାଭାବିକ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଏହି ଘଟଣା ଯୋଗୁଁ ଟିଟିଲାଗଡ଼-ସିକେର ରୁଟ୍ରେ ଟ୍ରେନ୍ ଚଳାଚଳ ସାମୟିକ ଭାବେ ପ୍ରଭାବିତ ହୋଇଥିବାବେଳେ କେତେକ ଟ୍ରେନ୍ର ସମୟସୂଚୀରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ତେବେ ଏହି ଦୁର୍ଘଟଣାରେ କୌଣସି ଜନହାନି କିମ୍ବା ଆହତ ହେବାର ଖବର ମିଳିନାହିଁ, କାରଣ ଏହା ଏକ ମାଲବାହୀ ଟ୍ରେନ୍ ଥିଲା । ଲାଇନ୍ଚ୍ୟୁତ ହେବାର ପ୍ରକୃତ କାରଣ କଣ, ତାହା ଜାଣିବା ପାଇଁ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।