ଗୁଲାମ ନବୀଙ୍କ ଆତ୍ମଜୀବନୀ ବହିରେ ଓଡ଼ିଶା ମହାବାତ୍ୟା ଓ ଲୁଲୁ ମହାପାତ୍ରଙ୍କ କଥା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିକଟରେ ପ୍ରକାଶ ପାଇଛି ବରିଷ୍ଠ ରାଜନେତା ଗୁଲାମନବୀ ଆଜାଦଙ୍କ ନିଜ ଆତ୍ମଜୀବନୀକୁ ନେଇ ‘ଆଜାଦ’ ନାମକ ପୁସ୍ତକ । ତେବେ ନିଜର ଏହି ଆତ୍ମଜୀବନୀରେ ୧୯୯୯ ମସିହାର ମହାବାତ୍ୟା ବିଷୟରେ ଆଲୋଚନା କରିଛନ୍ତି ଗୁଲାମନବୀ । ମହାବାତ୍ୟା ସମୟରେ ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ର ଯେଉଁଭଳି ଭାବେ କାର୍ଯ୍ୟ କରିଥିଲେ ସେ ନେଇ ନିଜ ବହିରେ ଉଲ୍ଲେଖ କରିଛନ୍ତି ବରିଷ୍ଠ ରାଜନେତା । ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରକାଶ ପାଇଛି ଦେଶର ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦଙ୍କ ଆତ୍ମଜୀବନୀ ‘ଆଜାଦ’ । ରାଜନୈତିକ ଦୃଷ୍ଟିକୋଣରୁ ୩୦୩ ପୃଷ୍ଠାର ଏହି ଆତ୍ମଜୀବନୀ ଯେତିକି ଝଡ଼ ସୃଷ୍ଟି କରିଛି, ସେତିକି ରାଜନୀତିର ଭିତିରି କଥାକୁ ଲୋକଲୋଚନକୁ ଆଣିଛି । ଏଥିରେ ରହିଛି ଓଡ଼ିଶାର ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ମହାବାତ୍ୟା ସମୟର ଅନୁଭୂତି । ମେ’ ୨୯, ୧୯୯୯ ମସିହାରେ ହୋଇଥିବା ମହାବାତ୍ୟା ଓଡ଼ିଶାରେ ରଚିଥିଲା ଧ୍ୱଂସର ତାଣ୍ଡବ । ଗୁଲାମ ନବୀ, ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ବାତ୍ୟାର ଦିନକ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ସେ ଓଡ଼ିଶା ପହଞ୍ଚିଥିଲେ । ତାଙ୍କ ବାପା କ୍ୟାନସରରେ ପୀଡ଼ିତ ହେଇ ଶେଷ ଅବସ୍ଥାକୁ ଚାଲି ଆସିଥିଲେ । ତଥାପି ସୋନିଆଙ୍କୁ ଏ ସଂପର୍କରେ କିଛି ନଜଣାଇ ଓଡ଼ିଶା ଆସିଥିଲେ । ବିମାନବନ୍ଦରର ସ୍ଥିତି ଦେଖି ସେ ଅନୁମାନ କରି ନେଇଥିଲେ ଓଡ଼ିଶାର ସ୍ଥିତି ।

ସେତେବେଳେ ଆଜାଦଙ୍କୁ ପାଛୋଟି ନେବାକୁ କେହି କଂଗ୍ରେସ ନେତା ଆସି ନଥିଲେ, କେବଳ ୪୦୦-୫୦୦ କର୍ମୀଙ୍କୁ ନେଇ ବିମାନବନ୍ଦରରେ ପହଞ୍ଚିଥିଲେ ଯୁବ କଂଗ୍ରେସ ନେତା ତଥା ତକ୍ରାଳୀନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର । ତାଙ୍କ ସହଯୋଗରେ ସେ କିପରି ରାସ୍ତା ସଫାରେ ଲାଗି ପଡ଼ିଥିଲେ ତାଙ୍କ ପୁସ୍ତକରେ ଲେଖିଛନ୍ତି ଗୁଲାମ ନବୀ ଆଜାଦ । ବାପା କାଠ କଣ୍ଟ୍ରାକ୍ଟର ହୋଇଥିବାରୁ ତାଙ୍କର ଗଛକଟା ଅନୁଭୂତିକୁ କାମରେ ଲଗାଇଥିଲେ । ଲୁଲୁ ମହାପାତ୍ରଙ୍କ ସହଯୋଗ ଓ ତାଙ୍କ ନେତୃତ୍ୱରେ ଯୁବକର୍ମୀମାନେ ଯେପରି କାର୍ଯ୍ୟ କରିଥିଲେ, ତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଗୁଲାମ ନବୀ । ଗୁଲାମ ନବୀଙ୍କ ଏହି ପ୍ରଶଂସାକୁ ଟ୍ୱିଟ୍ କରିଛନ୍ତି ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର । ସେ ଲେଖିଛନ୍ତି, ତାଙ୍କ ବାବାଙ୍କୁ ସବୁବେଳେ ସମର୍ଥନ କରି ଆସିଥିଲେ ଗୁଲାମ ନବୀ ଆଜାଦ । ସେ ଲେଖିଥବା ପ୍ରତ୍ୟେକ ଶବ୍ଦ, ବାବା ଯେଉଁଠି ଥିବେ ତାଙ୍କୁ ଖୁସି ଦେଉଥିବ । ଗୁଲାମ ନବୀ ତାଙ୍କ ଆତ୍ମଜୀବନୀ ‘ଆଜାଦ’ରେ ମହାବାତ୍ୟାରେ ତାଙ୍କର ଅଙ୍ଗେଲିଭା କାହାଣୀ ଲେଖିଛନ୍ତି । କିପରି ଦୁଇ ଦିନ ରହିବା ପାଇଁ ଆସିଥିଲେ, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ଦେଖି ଅଧିକ ଦିନ ରହିଥିଲେ ବର୍ଣ୍ଣନା କରିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ । ୨ଟି କୁର୍ତା-ପାଇଜାମାକୁ ନିଜେ କିପରି ଧୋଇ ଶୁଖାଇ ବ୍ୟବହାର କରୁଥିଲେ ଲେଖିଛନ୍ତି ଗୁଲାମ ନବୀ । ତକ୍ରାଳୀନ ରାଜସ୍ୱ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଓ ହେମାନନ୍ଦ ବିଶ୍ୱାଳଙ୍କ ସହଯୋଗ କଥା ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି । ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ଯିବାରୁ ଫେରି ଯାଇଥିଲେ ଗୁଲାମ ନବୀ ଆଜାଦ । ଦିଲ୍ଲୀ ଦେଇ ଜମ୍ମୁରେ ପହଞ୍ଚିବା ବେଳେ ବାପା ମୃତ୍ୟୁ ଶଯ୍ୟାରେ ଜୀବନ ସଂଗ୍ରାମ କରୁଥିଲେ । ସେ କଥା କହିବା ଅବସ୍ଥାରେ ନଥିଲେ । ତାଙ୍କ ମୁହଁକୁ ଚାହିଁଥିବା ବେଳେ ଆଖି ବୁଜି ଦେଇଥିଲେ ବାପା ବୋଲି ନିଜ ବହିରେ ଆଜାଦ୍ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.