ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମ୍ଭାର ୨୦୨୩-୨୪ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମ୍ଭାର ୨୦୨୩-୨୪ ଅନୁଷ୍ଠିତ |ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀ ଅଧିନସ୍ତ ଅଗ୍ରଣୀ ଅନୁଷ୍ଠାନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମ୍ଭାର ୨୦୨୩-୨୪ ସଭାପତି ତଥା ପ୍ରଧାନ ଶିକ୍ଷୟତ୍ରୀ ଋଷିପ୍ରଭା ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ର ଅତିରିକ୍ତ ତହସିଲଦାର ରାଜେଶ୍ବରୀ ମାଝୀ, ମୁଖ୍ୟ ବକ୍ତା ଭାବେ ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ଚକ୍ର, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀ ଭାଗୀରଥୀ ମହାନ୍ତି, ରାଇରଙ୍ଗପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବିନୟ ରଂଜନ ନାୟକ, ବହଳଦା ହାଇସ୍କୁଲ ପ୍ରଧାନଶିକ୍ଷକ ମନୋରଂଜନ ଗିରି, ସହ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ, ଅବସରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ହିରନମୟୀ ଦାଶ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ମମିତା ଚୌଧୂରୀ , ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଗୀତାଞ୍ଜଳି ମହାନ୍ତ ଓ ସଂପାଦକ ଖଡିରତ୍ନ ପ୍ରମୁଖ ଉପସ୍ଥିତ ଥିଲେ | ସଭା ପ୍ରାରମ୍ଭରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରାଯିବା ପରେ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା |

ଏହାପରେ ଅତିଥିଗଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ | ସଭାପତି ତାଙ୍କର ସଭାପତିତ୍ବ ବକ୍ତବ୍ୟ ଦେବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ | ଶିକ୍ଷୟତ୍ରୀ ଦର୍ଶନା ଦତ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ | ମୁଖ୍ୟ ଅତିଥି ଛାତ୍ରୀମାନଙ୍କୁ ଶିକ୍ଷା ଉପରେ ଉପଯୁକ୍ତ ଦିଗଦର୍ଶନ ଦେଇଥିଲା ବେଳେ ମୁଖ୍ୟ ବକ୍ତା ସମୟାନୁବର୍ତ୍ତୀତା, ଧୈର୍ଯ୍ୟ ଓ ଶିଷ୍ଠାଚାର ସଂମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ | ଅନ୍ୟ ଅତିଥିଗଣ ମଧ୍ୟ ସେମାନଙ୍କର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ |

ଏହାପରେ ପୁରସ୍କାର ବିତରଣୀ ପର୍ବରେ, ଗତବର୍ଷର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଫଳକ ଦେଇ ଅତିଥିଗଣ ପୁରସ୍କୃତ କରିଥିଲେ | ପରିଶେଷରେ ଶିକ୍ଷୟତ୍ରୀ ରଶ୍ମିତା କବାଟ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ସହଯୋଗ କରିଥିଲେ | ଏହା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ଭବ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ଥାନୀୟ ଜନସାଧାରଣ, ଅବିଭାବକଗଣ ତଥା ବିଦ୍ୟାଳୟର ସମସ୍ତ ଛାତ୍ରୀବୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |

Leave A Reply

Your email address will not be published.