ଓଡ଼ିଆ ନ୍ୟୁଜ୍: ଗ୍ରୀଷ୍ମପ୍ରବାହ ପୂର୍ବରୁ ସବୁ ଗାଁରେ ସରକାର ଯୋଗାଇ ଦେବେ ବିଶୁଦ୍ଧ ପାଣି। ପ୍ରତି ୭୦ ଲୋକଙ୍କ ପାଇଁ ରହିବ ଗୋଟିଏ ନଳକୂପ। ସେହିପରି ୭୦ରୁ ଅଧିକ ଲୋକ ଥିଲେ ହେବ ଦୁଇଟି ନଳକୂପ। ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ। ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ନାଏକ। ପ୍ରତି ଗାଁକୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ତେଣୁ ଗ୍ରୀଷ୍ମପ୍ରବାହ ପୂର୍ବରୁ ସବୁ ଗାଁରେ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବକେୟା ବିଦ୍ୟୁତ ଦେୟ ପାଇଁ ଗାଁରେ ବଡ଼ ପାନୀୟ ଜଳ ପ୍ରକଳ୍ପ ଅକାମି ହୋଇ ପଡ଼ୁଛି।
ବସୁଧା ଯୋଜନା ଅଧୀନରେ ମିଳୁଥିବା ଅନୁଦାନକୁ ବ୍ୟବହାର କରି ଏହି ବିଦ୍ୟୁତ୍ ବିଲ୍ ଦେବାକୁ ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ନାଏକ ଆହୁରି କହିଛନ୍ତି ଯେ, ନଳକୂପ ଖନନକୁ ପୁନଃ ଅନୁମତି ଦିଆଯିବା ସହ ଗାଁରେ ଅଚଳ ନଳକୂପ ବଦଳରେ ନୂଆ ନଳକୂପ ଖୋଳାଯିବାର ନିଷ୍ପତ୍ତି ନିଆଯାଇଛି । ସେହିପରି ନଳକୂପ ନଥିବା ଜନବସତି, ପାଇପ୍ ଜଳଯୋଗାଣ ହୋଇନଥିବା ତଥା ବ୍ୟକ୍ତିଗତ ନଳକୂପ ନଥିବା ଅଞ୍ଚଳରେ ନୂଆ ନଳକୂପ ହେବ। ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ୭୨ଟି ବୃହତ ପାନୀୟଜଳ ପ୍ରକଳ୍ପ କାମ ସରିବ। ଡିସେମ୍ବର ଶେଷ ସୁଦ୍ଧା ୫୪ଟି ବୃହତ ପାନୀୟ ଜଳ ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟ ରହିଛି। ସେହିଭଳି ୨୦୨୬ ଜୁନ୍ ଶେଷ ସୁଦ୍ଧା ୮୧ଟି ବୃହତ୍ ପାନୀୟଜଳ ପ୍ରକଳ୍ପ କାମ ସାରିବୁ। ଧାର୍ଯ୍ୟ ସମୟ ଭିତରେ ମୋଟ ୨୦୭ ବଡ଼ ପ୍ରକଳ୍ପ କାମ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।