ଗୋଟିଏ ମଞ୍ଚରେ ସ୍ୱାମୀ-ସ୍ତ୍ରୀଙ୍କ ମିଳିତ ପ୍ରଚାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପକ୍ଷରୁ ପାର୍ଥି ଘୋଷଣା ହେବା ପରେ ନିର୍ବାଚନୀ ଉଷ୍ମତା ବାରି ହୋଇପଡ଼ିଲାଣି। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ତଥା ଲୋକସଭା ସାଂସଦ ପ୍ରାଥି ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ବିଜେଡି ବିଧାୟିକା ପ୍ରାର୍ଥୀନୀ କରାଯାଇଛି। ଏହାକୁ ନେଇ ବାଙ୍ଗିରିପୋଷିରେ ନିର୍ବାଚନୀ ବିଗୁଲ ବାଜିବା ସହିତ ପ୍ରଚାର ଶୁଭାରମ୍ଭ ହୋଇଛି। ଏହିକ୍ରମରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍ଗିରିପୋଷି ସ୍ଥିତ ହାଣଦା ଓ କୁଳିଅଣାର ଶୁଖାପଦା ଠାରେ ସ୍ଥାନୀୟ ଲୋକ ମାନେ ସମ୍ବର୍ଦ୍ଧନା ଜଣାଇ ଶୁକ୍ରବାର ଆଶୀର୍ବାଦ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ମୟୁରଭଞ୍ଜ ଲୋକସଭା ସାଂସଦ ପ୍ରାଥି ସୁଦାମ ମାରାଣ୍ଡି ଏବଂ ସ୍ତ୍ରୀ ବିଧାୟିକା ପ୍ରାଥିନୀ ରଞ୍ଜିତା ମାରାଣ୍ଡି ଗୋଟିଏ ମଞ୍ଚରେ ଏକାଠି ହୋଇ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଯାହାକି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ପ୍ରଚାର ମଇଦାନକୁ ସରଗରମ କରିଛି। ସ୍ଥାନୀୟ ଅଞ୍ଚଳର ଶହ ଶହ ସଂଖ୍ୟକ ମହିଳା, ପୁରୁଷ ମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଗୁରୁତ୍ୱ ଦେଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୂଆ ଉନ୍ମାଦନା ଦେଖ‌ିବାକୁ ମିଳିଥିଲା। ଏହି ଅବସରରେ ଉଭୟ ପ୍ରାଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ନିର୍ବାଚନ ମଣ୍ଡଳୀରେ ଅନବରତ ଜାରି ରଖିବା ପାଇଁ ସଦା କାର୍ଯ୍ୟରତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନିର୍ବାଚନ ମଣ୍ଡଳୀର ଲୋକ ମାନଙ୍କ ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ସେଥିପାଇଁ ଧନ୍ୟବାଦ ଜଣାଇବା ସହ ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି। ଲୋକ ମାନଙ୍କ ତାଙ୍କ ପ୍ରତି ଥିବା ଭଲ ପାଇବାକୁ ପାଥେୟ କରି ଆଗାମୀ ନିର୍ବାଚନ ରଣାଙ୍ଗନକୁ ଅବତୀର୍ଣ୍ଣ ହୋଇଛନ୍ତି। ସାଧାରଣ ଲୋକ ସ୍ୱରକୁ ନେଇ ସଂସଦ ଓ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଲୋକଙ୍କ ଆର୍ଶୀବାଦ ଲୋଡ଼ିଛନ୍ତି।

ଆଗାମୀ ନିର୍ବାଚନରେ ନିଶ୍ଚିତ ଭାବରେ ତାଙ୍କୁ ସମର୍ଥନ ଜଣାଇ ବିପୁଳ ମାତ୍ରାରେ ଭୋଟ ଦେଇ ସଂସଦ ଓ ବିଧାନସଭାକୁ ପଠାଇବେ ବୋଲି ତାଙ୍କର ବିଶ୍ୱାସ ରହିଛି ବୋଲି କହିଛନ୍ତି। ଏହି ଅବସରରେ ବିଜେପି, ଜେଏମଏମ, କଂଗ୍ରେସ ଆଦି ଦଳର ନେତୃ ମଣ୍ଡଳୀ ଓ କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି। ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ଦଳକୁ ସ୍ୱାଗତ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରାଥି ଶ୍ରୀ ମାରାଣ୍ଡି, ବିଧାୟିକା ପ୍ରାଥିନୀ ଶ୍ରୀମତୀ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାନ୍ସଦା, ଆମ ଓଡିଶା ନବୀନ ଓଡ଼ିଶାର ସଂଯୋଜକ ସୁନିଲ କୁମାର ଦାଶ, ବିଜୁ ମହିଳା ଜନତା ଦଳ ସଭାପତି ବୀଣାପାଣି ସାହୁ, ବିଜେଡି ବ୍ଲକ ସଭାପତି ବୀରକିଶୋର ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ, ଜିଲ୍ଲା ପରିଷଦ ସଦସ୍ୟ ପାର୍ବତୀ ସିଂ, ଶ୍ୟାମାଖୁଣ୍ଟା ବ୍ଲକ ଅଧ୍ୟକ୍ଷ ଚନ୍ଦ୍ର ମୋହନ ସିଂ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟନାଥ ମାରାଣ୍ଡି, ବ୍ଲକ ଅଧ୍ୟକ୍ଷ ଗୀତାଞ୍ଜଳି ହେମ୍ବ୍ରମ, ଉପାଧ୍ୟକ୍ଷ ରତିକାନ୍ତ ସିଂ, ଜୋନ ସ୍ତରୀୟ ଯୁବ ସଭାପତି ସୁବୋଧ ମାରାଣ୍ଡି ସମେତ ବିଜେଡି ବ୍ଲକ କର୍ମକର୍ତ୍ତା ପ୍ରମୁଖ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.