ଆଜି ବସିବ କଳାଧନ ସମ୍ପର୍କିତ SITର ଗୁରୁତ୍ୱପୂର୍ଣ୍ଣ ବୈଠକ, କଟକରେ ଥିବା SIT ଉପାଧ୍ୟକ୍ଷଙ୍କ ବାସଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): କଟକରେ ଆଜି କଳାଧନ ସମ୍ପର୍କିତ SITର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର ରହିଛି। SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କଟକରେ ଥିବା ତାଙ୍କ ବାସଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କଳାଧନ କାରବାର ସମ୍ପର୍କରେ ଆଲୋଚନା ହେବ । ଏହି ବୈଠକରେ ED, IT, CBI, ଏକ୍ସସାଇଜ୍, କଷ୍ଟମ୍ , ଟାଇରେକ୍ଟ ଟ୍ୟାକ୍ସେସ୍ ଭଳି କେନ୍ଦ୍ରିୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବେ ।ଏଥି ସହିତ ଓଡ଼ିଶାରୁ ମଧ୍ୟ ପୋଲିସ ଡିଜି, ଖଣି , କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ନିର୍ଦ୍ଦେଶକ ଯୋଗ ଦେବେ ବୋଲି ସୂଚନା ମିଳିଛି । ଦେଶରେ କଳାଧନର କାରବାର ରୋକିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ଏହି SITକୁ ଗଠନ କରିଛନ୍ତି । ଏହି ବୈଠକରେ କଳାଧନ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ସହ କିଛି ସାମ୍ପ୍ରତିକ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇପାରେ ବୋଲି ଜଣା ପଡିଛି ।
ବିଷେଶ କରି ଦେଶରେ ନିର୍ବାଚନ ସମୟରେ ହୋଇଥିବା କଳାଧନ କାରବାର ଓ ଜବତ ହୋଇଥିବା ଟଙ୍କା ବାବଦରେ ମଧ୍ୟ ଆଲୋଚନା ହେବ । ଏହା ସହିତ ଅର୍ଚ୍ଚନା ନାଗ ମାମଲା ମଧ୍ୟ ଆଲୋଚନାରେ ସ୍ଥାନ ପାଇ ପାରେ । ଅର୍ଚ୍ଚନା ନାଗ ଠାରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର କଳାଧନର ମୂଳ ସୁତ୍ରକୁ ଠାବ କରିବା ପାଇଁ SITଙ୍କ ନିର୍ଦ୍ଦେଶ କ୍ରମେ ED ଏହି ମାମଲାର ତଦନ୍ତ କରୁଛି ।ପୂର୍ବରୁ କଟକରେ ବସିଥିବା ଏହି ବୈଠକ ଅବସରରେ ଦେଶରେ କଳାଧନର ସ୍ଥିତି ଓ ଏହାର ମୁଳୋତ୍ପାତନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। GST ଠକେଇ ଓ ନିଶା କାରବାର କ୍ଷେତ୍ରରେ କଳାଧନର ବ୍ୟାପକ କାରବାର ହେଉଥିବା ଜଣା ପଡିବା ପରେ ଏହି ଦିଗରେ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ତେବେ ଦେଶର ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବ୍ୟାପକ ପରିମାଣର ନିଶା କାରବାର ହେଉଥିବାରୁ ଏହାକୁ ନେଇ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଏଣିକି ଇ ଡି ଓ ଆୟକର ବିଭାଗ କୁ ମଧ୍ୟ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ SIT ଉପାଧକ୍ଷ ଜଷ୍ଟିସ ଅରିଜିତ ପଶାୟତ।
ଦେଶରେ ଦୃତ ଗତିରେ ବଢି ଚାଲିଛି ନିଶା କାରବାର। ବିଶେଷ କରି ଓଡ଼ିଶାରେ ଏହି କାରବାର ବିପଦ ଜନକ ସ୍ଥିତିରେ ପହଂଚିଛି। ଯାହାକି କଳାଧନର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କଳାଧନ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ SITର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଚାଂଚଲ୍ୟକର ସତ ସାମ୍ନାକୁ ଆସିଛି।ପୂର୍ବରୁ କଟକରେ ବସିଥିବା ଏହି ବୈଠକରେ ଓଡ଼ିଆ IPS ଅଫିସର ତଥା ନାରକୋଟିକ୍ସ ବିଭାଗର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ଓ ଓଡ଼ିଶା କ୍ୟାଡର IPS ତଥା ନରକୋଟିକ୍ସ ବିଭାଗ ର ଡେପୁଟି ଡ଼ାଇରେକ୍ଟର ସଞ୍ଜୟ ସିଂଙ୍କ ପକ୍ଷରୁ ପ୍ରଦାନ କରାଯାଇ ଥିବା ତଥ୍ୟ ନିଶା କାରବାର ସାମ୍ରାଜ୍ୟ ବାବଦରେ ସମସ୍ତଙ୍କ ଧାରଣାକୁ ପରିବର୍ତିତ କରି ଦେଇଥିଲା। ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଏହା ସହିତ ଦୁର୍ନୀତି ଖୋର ସରକାରୀମାନେ କଳାଧନର ବ୍ୟାପକ କାରବାର କରୁଥିବାରୁ ଏଣିକି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାର ତଦନ୍ତରେ ଇଡି ଓ ଆୟକର ବିଭାଗକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।
ନିଶା କାରବାର ସହିତ GST ଠକେଇ କରି କୋଟି କୋଟି ଟଙ୍କାର କଳାଧନ ସଂଗୃହିତ କରାଯାଉଛି। ଏବଂ ଗତ ୨ ବର୍ଷ ଭିତରେ ଦେଶ ରେ ୨୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଜିଏସଟି ଠକେଇ ହୋଇଥିବା କଥା GST ବିଭାଗ ପକ୍ଷରୁ SIT ଙ୍କୁ ଅବଗତ କରାଯାଇଥିଲା। ତେବେ କଳାଧନକୁ ଲୁଚାଇ ରଖିବା ପାଇଁ ପନାମା ଓ ପାଣ୍ଡେରା ପେପର୍ସ ର ତଦନ୍ତ କ୍ଷେତ୍ରରେ ଆଖି ଦୃଶିଆ ଅଗଗତି ହୋଇଥିବା ବିଭାଗୀୟ ଅଧିକାରୀ ମାନେ SIT ଙ୍କୁ ଅବଗତ କରାଇଥିଲେ। ପାନାମା ପେପରସ କ୍ଷେତ୍ରରେ ୪୦୦ ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇଛି। ଏବଂ ଏହା ଭିତରୁ ପ୍ରାୟ ୩୦୦ ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ପଣ୍ଡୋରା ପେପରସ ମାମଲାରେ ମାସକ ଭିତରେ ୭୦ ଟି ମାମଲା ରୁଜୁ ହୋଇଥିବା କହିଥିଲେ ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।