ନିଜର ଭୁଲ୍ ଯୋଗୁଁ କେନ୍ଦ୍ରୀୟ ଅନୁଦାନ ହରାଇବା ପରିସ୍ଥିତି ସୃଷ୍ଟି କରୁଛନ୍ତି ଓଡ଼ିଶା ସରକାର: ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ସରକାରଙ୍କ ଭୁଲ କାରଣରୁ ପିଏମ ପୋଷଣ ଯୋଜନାରେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଦ୍ୱିତୀୟ କିସ୍ତିର ଅର୍ଥ କେନ୍ଦ୍ର ପକ୍ଷରୁ ପାଇପାରି ନାହାନ୍ତି ତଥା ସରକାର ନିଜର ଭୁଲ୍ ଯୋଗୁଁ କେନ୍ଦ୍ରୀୟ ଅନୁଦାନ ହରାଇବା ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶଙ୍କ ଏ ସମ୍ପର୍କୀତ ପତ୍ରର ପତ୍ୟୁତ୍ତରରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ସରକାର ରାଜ୍ୟ ବଜେଟରେ ଆବଶ୍ୟକ ବ୍ୟବସ୍ଥା କରିନଥିବାରୁ ମଧ୍ୟାହ୍ନ ଭୋଜନ ଯୋଜନା- ପିଏମ ପୋଷଣରେ କେନ୍ଦ୍ରୀୟ ଅନୁଦାନ ମିଳିନାହିଁ । ତେବେ ଓଡ଼ିଶା ସରକାର ପିଏମ ପୋଷଣ ଅନ୍ତର୍ଗତ ଆବଶ୍ୟକ ଓ ଅତିରିକ୍ତ ବଜେଟ୍ ନ ଦେବା ସତ୍ତ୍ୱେ ବି ଭାରତ ସରକାର ନିଜ ତରଫରୁ ଦ୍ୱିତୀୟ କିସ୍ତି ପାଇଁ ୨୮୩.୭୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ପିଏମ ପୋଷଣ ଯୋଜନା ଅନ୍ତର୍ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ବାର୍ଷିକ କାର୍ଯ୍ୟକ୍ରମ ଓ ବଜେଟ୍ ନିମନ୍ତେ ଭାରତ ସରକାର କେନ୍ଦ୍ରୀୟ ଅଂଶ ବାବଦରେ ୫୭୫.୯୮ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ବାବଦରେ ୩୩୦.୯୭ କୋଟି ଟଙ୍କା ବ୍ୟବସ୍ଥା କରି ସମୁଦାୟ ୯୦୬.୯୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା । ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କୁ ଉଭୟ କେନ୍ଦ୍ରୀୟ ସହାୟତା ଓ ରାଜ୍ୟ ସରକାରଙ୍କ ଅଂଶକୁ ନେଇ ବଜେଟ୍ ପ୍ରସ୍ତୁତ କରିବାକୁ ହୁଏ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ରୀୟ ଅଂଶ ଭାବରେ ୫୬୩.୪୩ କୋଟି ଟଙ୍କାର ବ୍ୟବସ୍ଥା କରିଥିବା ବେଳେ ନିଜ ଅଂଶ ଭାବରେ ୩୨୬.୫୬ କୋଟି ଟଙ୍କାର ଅଂଶ ବଜେଟରେ ବ୍ୟବସ୍ଥା କରିଥିଲେ । ଯାହା ଦ୍ୱାରା ବଜେଟରେ ସମୁଦାୟ ୧୬.୦୯ କୋଟି ଟଙ୍କାର ନିଅଣ୍ଟ ହେଉଛି ।

କେନ୍ଦ୍ର ସରକାରଙ୍କ ପ୍ରଥମ କିସ୍ତିରେ ୨୭୯.୯୫ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ବେଳେ ରାଜ୍ୟ ପାଖରେ ଥିବା ୮ କୋଟି ଟଙ୍କା ବଳକା ରହିଥିଲା । ଭାରତ ସରକାର ଅକ୍ଟୋବର ୦୧, ୨୦୨୨ରେ ସାମଗ୍ରିକ ଖର୍ଚ୍ଚକୁ ୯.୬ ପ୍ରତିଶତ ବୃଦ୍ଧି କରିଥିଲେ । ଅନୁରୂପ ଭାବେ କେନ୍ଦ୍ରୀୟ ଅଂଶ ୫୯୬.୭୫ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟର ଅଂଶ ୩୪୪.୨୪ କୋଟି ଟଙ୍କା ହୋଇଥିଲା । ରାଜ୍ୟ ସରକାରଙ୍କୁ ଏହି ଅନୁପାତରେ ନିଜର ଅତିରିକ୍ତ ବଜେଟରେ ଅର୍ଥ ବ୍ୟବସ୍ଥା କରିବାର ଆବଶ୍ୟକତା ଥିଲା ।

ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ ଓ ପରେ ନିଜର ଅତିରିକ୍ତ ବଜେଟରେ ବର୍ଦ୍ଧିତ ଆବଣ୍ଟନ ନଥିବା କାରଣରୁ କେନ୍ଦ୍ରୀୟ ଅଂଶ ଭାବରେ ୩୩.୩୧ କୋଟି ଏବଂ ରାଜ୍ୟ ଅଂଶ ଭାବରେ ୧୭. ୬୮ କୋଟି ନିଅଣ୍ଟ ପଡିଥିଲା । ଏବେ ରାଜ୍ୟ ସରକାରଙ୍କ ସ୍କୁଲ ଗଣଶିକ୍ଷା ବିଭାଗ ଦ୍ୱାରା ମାର୍ଚ୍ଚ ୨୦୨୩ରେ ଏକ ପତ୍ର ମାଧ୍ୟମରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ଏବଂ ରାଜ୍ୟ ଅଂଶ ପାଇଁ ଅତିରିକ୍ତ ଅର୍ଥ ବ୍ୟବସ୍ଥା କରିବା ପାଇଁ ଅସମର୍ଥ ଥିବା ଦର୍ଶାଇଛନ୍ତି। ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତାବକୁ ତର୍ଜମା କରିବା ପରେ ପିଏମ ପୋଷଣ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ପ୍ରୋଗ୍ରାମ ଆପ୍ରୁଭାଲ ବୋର୍ଡ(ପିଏମବି)ର ଅନୁମୋଦନ ଅନୁସାରେ ଦ୍ୱିତୀୟ କିସ୍ତିରେ ରାଜ୍ୟ ସରକାର ୩୦୮.୭୯ କୋଟି ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ କୌଣସି ପ୍ରାବଧାନ କରାଯାଇ ନଥିବା କାରଣରୁ ଭାରତ ସରକାର ଦ୍ୱିତୀୟ କିସ୍ତିରେ ଓଡ଼ିଶାକୁ ପିଏମ ପୋଷଣ ଯୋଜନା ପାଇଁ ୨୮୩.୭୮ କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି ଓ ରାଜ୍ୟ ସରକାର ପିଏଫଏମଏସ ମାଧ୍ୟମରେ ବିସ୍ତୃତ ପ୍ରସ୍ତାବ ପ୍ରଦାନ କଲେ ଆହୁରି ୨୫ କୋଟି ଟଙ୍କା ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.