ଆମେରିକା ସଂସଦର ମିଳିତ ଅଧିବେଶନରେ ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କଲେ ମୋଦି, କହିଲେ ଏମିତି କଥା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆମେରିକା ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସଂସଦ କକ୍ଷରେ ପହଞ୍ଚିବାମାତ୍ରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ପ୍ରାୟ ୧ ଘଣ୍ଟାର ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ଏବଂ ଭାରତ-ଆମେରିକା ସଂପର୍କର ବ୍ୟାପକତା ନେଇ ତଥ୍ୟ ରଖିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ-ଆମେରିକା ମଧ୍ୟରେ ଏବେ ଅତୁଟ ଭରସା ରହିଛି ଏବଂ ବନ୍ଧୁତା ଆହୁରି ପ୍ରଗାଢ଼ ହୋଇଛି। ଉଭୟ ଦେଶ ମଧ୍ୟରେ ବିଶ୍ବାସ ବଢ଼ିଛି ଏବଂ ଗତ ୭ ବର୍ଷ ମଧ୍ୟରେ ବହୁତ କିଛି ବଦଳି ଯାଇଛି । ଉଭୟ ଭାରତ ଓ ଆମେରିକା ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଗଣତନ୍ତ୍ର ସହିତ ଉଭୟ ରାଷ୍ଟ୍ରର ଗଭୀର ସଂପର୍କ। ଭାରତ ଏବେ ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଛି ଏବଂ ଖୁବ୍‌ଶୀଘ୍ର ବିଶ୍ବର ତୃତୀୟ ବଡ଼ ଅର୍ଥନୀତି ହେବାକୁ ଯାଉଛି। ବିବିଧତା ଭିତରେ ଭାରତ ସର୍ବଦା ଏକଜୁଟ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଏବେ ୨୫୦୦ ରାଜନୈତିକ ଦଳ ରହିଛି। ବିଭିନ୍ନ ରାଜ୍ୟରେ ୨୦ଟି ଭିନ୍ନ ଭିନ୍ନ ଦଳ ଶାସନ କରୁଛନ୍ତି। ଆମର ୨୨ଟି ସରକାରୀ ଭାଷା ରହିଛି ଏବଂ ଆମର ସ୍ବର ଏକ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଭିତରେ ମତଭେଦ ଥାଇପାରେ, କିନ୍ତୁ ଦେଶର ରାଜନୈତିକ ଦଳମାନେ ଦେଶ ହିତରେ କହିବା ବେଳେ ଏକସ୍ବରରେ କହିଥାନ୍ତି।

ବିଚାର ଓ ବିଚାରଧାରାକୁ ନେଇ ବିତର୍କ ହେଉଥିଲେ ବି ଭାରତ-ଆମେରିକା ସଂପର୍କର ଉତ୍ସବ ମନାଇବା ପାଇଁ ଆମେ ଏକାଠି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରୋକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପ୍ରତି କଟାକ୍ଷ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ କହିଥିଲେ ଯେ ଏହା ଅତ୍ୟନ୍ତ ପୀଡ଼ାଦାୟକ ଏବଂ ଏହାଦ୍ବାରା ବିଶ୍ବ ପ୍ରଭାବିତ ହୋଇଛି।

ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌ର ଦାଦାଗିରି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ ସଂଘର୍ଷର କଳାବାଦଲକୁ ହଟାଇବା ପାଇଁ ଆମେ ଏକଜୁଟ ହୋଇ କାମ କରିବୁ। ପାକିସ୍ତାନ ଉପରେ ପରୋକ୍ଷ ଆକ୍ରମଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦର ପ୍ରାୟୋଜକ ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।

Leave A Reply

Your email address will not be published.