ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାରୁ ଗଲେ ୨୪୫ଜଣ ବରିଷ୍ଠ ନାଗରିକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରିପଦା ଠାରେ ଶୁକ୍ରବାର ଶୁଭାରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମୟୁରଭଞ୍ଜ ଜିଲ୍ଲାରୁ ୨୪୫ଜଣ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାରିପଦା ସ୍ଥିତ ସଂସ୍କୃତି ଭବନ ସମ୍ମୁଖରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା ସବୁଜ ପତାକା ଦେଖାଇ ଦ୍ୱିତୀୟ ପର୍ଯ୍ୟାୟର ଯାତ୍ରା ଶୁଭାରମ୍ଭ କରିଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସତ୍ୟଭାମା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଭିନାଶ ପାଣି ପ୍ରମୁଖ ଏବଂ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁସାରେ, ବରିଷ୍ଠ ନାଗରିକ ବିଶେଷ କରି ଯେଉଁ ମାନେ ଆର୍ଥିକ ସ୍ଵଚ୍ଚଳତା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ହେତୁ ତୀର୍ଥ ଯାତ୍ରାରୁ ବଞ୍ଚିତ ହେଉଥିଲେ ସେମାନଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ଦର୍ଶନ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା କାର୍ଯ୍ୟକାରୀ ହୋଇଛି। ଯାହାକି ବରିଷ୍ଠ ନାଗରିକଙ୍କ ପାଇଁ ବେଶ ସହାୟକ ସହିତ ସେମାନଙ୍କ ମନରେ ଆନନ୍ଦ ଆଣି ଦେଇଛି।

ଏହି କ୍ରମରେ ଚଳିତ ବର୍ଷ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ପାଇଁ ସମଗ୍ର ଜିଲ୍ଲାରୁ ୬୨୮ଟି ଆବେଦନ ଗ୍ରହଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ୨୪୫ଜଣ ବରିଷ୍ଠ ନାଗରିକ ମାନଙ୍କୁ ଚୟନ କରାଯାଇଥିଲା। ଉକ୍ତ ବରିଷ୍ଠ ନାଗରିକ ମାନଙ୍କୁ ୬ଗୋଟି ବସ ଯୋଗେ ବାରିପଦାରୁ ବାଲେଶ୍ୱର ପର୍ଯ୍ୟନ୍ତ ନିଆଯିବ। ସେଠାରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ମାର୍ଚ୍ଚ ୨ରୁ ୭ତାରିଖ ପର୍ଯ୍ୟନ୍ତ ଆଗ୍ରା ଓ ମଥୁରା ତୀର୍ଥ ଯାତ୍ରା କରିବେ। ଯାତ୍ରା ସମୟରେ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନର ୮ଜଣ ଅଧିକାରୀ ମାନେ ମଧ୍ୟ୍ୟ ସେମାନଙ୍କ ସହିତ ଯାତ୍ରାରେ ଯାଇଛନ୍ତି ବୋଲି ସୂଚନା ମିଳିଛି।

ଉକ୍ତ ବରିଷ୍ଠ ନାଗରିକ ମାନଙ୍କ ଯାତ୍ରା ପୂର୍ବରୁ ବାରିପଦା ଷ୍ଟାଡିଅମ ଠାରେ ଖାଦ୍ୟପେୟ ସହ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରାଯାଇଛି। ଏହି ବରିଷ୍ଠ ତୀର୍ଥଯାତ୍ରୀ ମାନେ ତୀର୍ଥ ଯାତ୍ରା ସାରି ନିଜ ନିଜ ଅଞ୍ଚଳକୁ ଫେରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରକାଶ ଥାଉ କି, ଗତ ଜାନୁଆରୀ ୪ରେ ମୟୁରଭଞ୍ଜ ଜିଲ୍ଲାରୁ ୨୪୫ଜଣ ବରିଷ୍ଠ ନାଗରିକ ପ୍ରଥମ ପର୍ଯ୍ୟାୟରେ ତୀର୍ଥ ଯାତ୍ରା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ମଧ୍ୟପ୍ରଦେଶର ଉଜ୍ଜୟିନୀ ଏବଂ ଓଁକାରେଶ୍ୱରକୁ ଟ୍ରେନ ଯୋଗେ ତୀର୍ଥଯାତ୍ରା କରାଯାଇଥିଲା।

Leave A Reply

Your email address will not be published.