ରାଷ୍ଟ୍ରପିତ ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଶେଷ ଦିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଷ୍ଟ୍ରପିତ ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଅନ୍ତିମ ଅର୍ଥାତ ଶେଷ ଦିନ | ଆଉ ଅନ୍ତିମ ଦିନରେ ସମ୍ବଲପୁର ଗସ୍ତ କରିବେ ମହାମହିମ | ପ୍ରଥମେ ଝାରସୁଗୁଡା ବିମାନ ବନ୍ଦରରୁ ବାୟୁସେନାର ହେଲିକେପ୍ଟର ଯୋଗେ କଦଳୀଗଡ ହାଇସ୍କୁଲ ପଡିଆରେ ଓହ୍ଲାଇବା ପରେ ମୁଧୁପୁର ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠ ମଧୁପୁର ଯାଇ ସେଠାରେ ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, ଚୌଷଠି ସିଦ୍ଧ ଆଶ୍ରମ ଯାଇ ସେଠାରେ ଧୁନି ମଣ୍ଡପ ଦର୍ଶନ କରିବେ ମହାମହିମ ।

ସେଠାରେ ପହଞ୍ଚିବା ପରେ ସନ୍ଥକବି ଭୀମଭୋଇଙ୍କ ପବିତ୍ର ସ୍ମୃତି ପୀଠ କନ୍ଧରା ଆଶ୍ରମକୁ ରାଷ୍ଟ୍ରପତି ଯିବେ । ଏହାପରେ ସମ୍ବଲପୁରର ମିନି ଷ୍ଟାଡିୟମରେ ମହିମା ଧର୍ମାବଲମ୍ବୀ ମାନଙ୍କୁ ମଧ୍ୟ ଭେଟିବେ। ରାଷ୍ଟ୍ରପତିଙ୍କ ସ୍ବାଗତ ଅପେକ୍ଷା ରହିଛନ୍ତି ସ୍ଥାନୀୟ ଲୋକେ । ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ କନ୍ଧରା ଆଶ୍ରମକୁ ପରିଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ । ଏହାପରେ ଆଜି ରାଷ୍ଟ୍ରପତି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଚାରି ଗୋଟି ଜିଲ୍ଲାର ସଙ୍ଗମ ସ୍ଥଳରେ ରହିଛି ମହିମା ଧର୍ମର ଅନନ୍ୟ ପୀଠ କନ୍ଧରା । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡରେ ଅବସ୍ଥିତ କନ୍ଧରା ଗ୍ରାମ । ବୌଦ୍ଧ, ସୋନପୁର ଓ ଅନୁଗୁଳ ଜିଲ୍ଲାର ସୀମାକୁ ଏହା ସଂଲଗ୍ନ ରହିଛି ।

ଏହି କନ୍ଧରା ଗ୍ରାମର ଉପକଣ୍ଠରେ ଥିବା ମହିମା ଧର୍ମର ଆଶ୍ରମ ତଥା ପବିତ୍ର କୂଅ କନ୍ଧରା ଗ୍ରାମକୁ ଦେଇଛି ସ୍ବତନ୍ତ୍ର ପରିଚୟ । ପବିତ୍ର କୂଅରେ ଦିନେ ସନ୍ଥକବି ଭୀମଭୋଇ ପଡିଯିବା ପରେ ଜ୍ଞାନର ଉଦୟ ହୋଇଥିବା ଜଣାଯାଏ । କନ୍ଧରା ଆଶ୍ରମରେ ମହିମା ଧର୍ମର ଅନନ୍ୟ ସାଧକ ସନ୍ଥ କବି ଭୀମ ଭୋଇ ନିଜ ଜୀବନର ୧୬ ବର୍ଷ ଅତିବାହିତ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଫଳରେ ଏହି ପୀଠକୁ ନୂଆ ପରିଚୟ ମିଳିବ ବୋଲି ଅଞ୍ଚଳବାସୀ ଆଶାପ୍ରକଟ କରିଛନ୍ତି । ମହାମହିମଙ୍କ ଗସ୍ତ ପାଇଁ କଦଳୀଗଡ ନିକଟରେ ଏକ ସ୍ବତନ୍ତ୍ର ହେଲିପ୍ୟାଡର ବ୍ୟବସ୍ଥା କରାଯାଇଛି । ଆଜି ଅପରାହ୍ନ ୧୨ ଟା ୪୫ ମିନିଟରେ କନ୍ଧରା ଆଶ୍ରମ ଆସି ୧ ଟା ୫ ମିନିଟ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି ।

Leave A Reply

Your email address will not be published.