ଅରୁଣାଚଳ ପ୍ରଦେଶରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅରୁଣାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ହିମସ୍ଖଳନ ହେତୁ ୭ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ସେନା ଏହା ନିଶ୍ଚିତ କରିଛି।
ସୂଚନାଥାଉ କି, ଗତକାଲି ଯବାନମାନେ ବରଫ ତଳେ ପୋତି ହୋଇଯାଇଥିଲେ । ଏହା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଆଜି ଉଦ୍ଧାରକାରୀ ଦଳ ଯବାନମାନଙ୍କ ମୃତଦେହ ପାଇଛନ୍ତି। ନିଖୋଜ ଯବାନମାନେ ରବିବାର ଦିନ ଏକ ପାଟ୍ରୋଲିଂ କରୁଥିବା ଦଳର ଏକ ଟିମ୍ ଥିଲେ। ତା’ପରେ ସେମାନେ ହିମସ୍ଖଳନର ଶିକାର ହୋଇଥିଲେ। ସେମାନଙ୍କୁ ଖୋଜିବା ପାଇଁ, ବିଶେଷଜ୍ଞ ଦଳକୁ ବିମାନ ଯୋଗେ ଘଟଣାସ୍ଥଳକୁ ପଠାଯାଇଥିଲା, ଯାହାଫଳରେ ଉଦ୍ଧାର କାର୍ଯ୍ୟରେ ସେମାନଙ୍କ ସେବା ନିଆଯାଇପାରିବ | ତେବେ ଏହି ଅଞ୍ଚଳର ଖରାପ ପାଗ ଦଳର କାର୍ଯ୍ୟକୁ କଷ୍ଟସାଧ୍ୟ କରିଥିଲା। ଏହି ସମଗ୍ର ଅଞ୍ଚଳରେ ଗତ କିଛି ଦିନ ହେବ କ୍ରମାଗତ ଭାବରେ ତୁଷାରପାତ ହେଉଛି | ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି ଦୁଃଖ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, “ଅରୁଣାଚଳ ପ୍ରଦେଶର କେମାଙ୍ଗ ସେକ୍ଟରରେ ହିମସ୍ଖଳନରେ ପ୍ରାଣ ହରାଇଥିବା ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ଏହି ସାହସୀ ଯବାନମାନେ ଦେଶର ସେବାରେ ପ୍ରାଣ ହରାଇଛନ୍ତି। ମୁଁ ସେମାନଙ୍କର ସାହସିକତା ଏବଂ ସେବାକୁ ନମସ୍କାର କରୁଛି।