ଆଜି ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ ଭେଟିଲେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ସହ ଅର୍ଥରାଷ୍ଟ୍ର ମନ୍ତ୍ରୀ ଭାଗବତ କ୍ରିଷ୍ଣାରାଓ ଏବଂ ପଙ୍କଜ ଚୌଧୁରୀ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ । ଅର୍ଥମନ୍ତ୍ରୀ ଯେତେବେଳେ ବଜେଟର ପେଡି ଖୋଲିବେ ଏହା ଉପରେ ସାରା ଦେଶର ନଜର ରହିବ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ଶେଷ ବଜେଟ୍ । ନୂଆ ସଂସଦରେ ଏହା ପ୍ରଥମ ବଜେଟ୍ । ସେହିପରି ନିର୍ମଳା ସୀତାରମଣଙ୍କ ଏହା ଷଷ୍ଠ ବଜେଟ୍ । ନିର୍ବାଚନ ପୂର୍ବରୁ ଏହି କାମଚଳା ବଜେଟରେ କୃଷକ, ନିଯୁକ୍ତି ଆଶାୟୀ ଓ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।

କୃଷି କ୍ଷେତ୍ରରେ ବଜେଟରେ କିଛି ବଡ଼ ଘୋଷଣା ହୋଇପାରେ । ପିଏମ୍ କିଷାନ ସମ୍ମାନ ନୀଧି ଯୋଜନାରେ ବ୍ୟୟ ବୃଦ୍ଧି ହୋଇପାରେ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନୀଧି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ୬ ହଜାରରୁ ୮ ହଜାର କିମ୍ବା ୯ ହଜାର ପର୍ଯ୍ୟନ୍ତ ବୃଦ୍ଧି ହେବା ନେଇ ଆଶା ରହିଛି । ମହିଳାଙ୍କୁ ପାଇଁ ବିଭିନ୍ନ ଯୋଜନାରେ ସହାୟତା ରାଶି ବଢ଼ିପାରେ ବୋଲି କୁହାଯାଉଛି । ପୂରା ଦେଶରେ ୧୧ କୋଟି ଚାଷୀଙ୍କ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ମିଳୁଛି । ତେବେ ଏହି ବଜେଟରେ ପୁରୁଷ ଚାଷୀଙ୍କ ପାଇଁ ୯ ହଜାର ଏବଂ ମହିଳା ଚାଷୀଙ୍କୁ ସମ୍ମାନ ନୀଧି ଯୋଜନାରେ ୧୨ ହଜାରରେ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ସରକାର ।

ସେହିପରି ରେଳ କ୍ଷେତ୍ରରେ ମଧ୍ୟ ବଜେଟ୍ ଆବଣ୍ଟନ ବୃଦ୍ଧି ହେବା ନେଇ ଆଶା ରହିଛି । ଅନ୍ତରୀଣ ବଜେଟରେ ପୂର୍ବ ଅପେକ୍ଷା ୨୫ ପ୍ରତିଶତ ଅଧିକ ବ୍ୟୟ ବରାଦ ହୋଇପାରେ । ଗତଥର ପୂର୍ଣ୍ଣାଙ୍ଗ ବଜେଟରେ ପ୍ରାୟ ୧.୭ ଲକ୍ଷ କୋଟିର ବ୍ୟୟ ବରାଦ ହୋଇଥିଲା । ଏଥର କିନ୍ତୁ ରେଳ ବଜେଟ୍ ପ୍ରାୟ ୩ଲକ୍ଷ କୋଟି ପାର୍ କରିବ ।

Leave A Reply

Your email address will not be published.