ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ କଲବଲ କରିବ ଖରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମାର୍ଚ୍ଚ ମାସରେ ଓଡ଼ିଶାର କିଛି ଅଞ୍ଚଳରେ ହିଟ୍‌ୱେଭ୍‌ ପରିସ୍ଥିତି ସୃଷ୍ଟି ହେବ। ଏ ବର୍ଷ ଗ୍ରୀଷ୍ମର ଲହରୀର ଅବଧି ଏତେ ଲମ୍ବିବ ଯେ ଛଟପଟ ହେବେ ଜନଜୀବନ । ଭାରତୀୟ ପାଣିପାଗ ବିଭାଗର ଚଳିତବର୍ଷ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପାଣିପାଗ ପୂର୍ବାନୁମାନ ଦେଖିଲେ ଡର ଲାଗୁଛି । ପୂର୍ବାନୁମାନ ଚିତ୍ରରେ ଜଳଜଳ ଦିଶୁଛି, ଏଥର ଡହଡହ ଖରାରେ ଟକଟକ ହୋଇ ଫୁଟିବ ଓଡ଼ିଶା । ଆଭ୍ୟନ୍ତରୀଣ କି ଉପକୂଳ, ସବୁଠି ନିଆଁ ବର୍ଷିଲା ଭଳି ସ୍ଥିତି ଉପୁଜିବ ।

ଭୁବନେଶ୍ବର, ମାଲକାନଗିରି, ବଲାଙ୍ଗୀର, ଟିଟିଲାଗଡ଼, ଅନୁଗୁଳ, ତାଳଚେର ପରି ସହର ତତଲା ତାଉଆରେ ଭାଜି ହେବ। ସବୁ ସହରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଉପରକୁ ଚାଲିଯିବାକୁ ଥିବା ବେଳେ କେତେକ ସ୍ଥାନରେ ୪୦ରୁ ୪୨ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। କେବଳ ଓଡ଼ିଶା ନୁହେଁ, ଦେଶର ଅଧିକାଂଶ ଅଞ୍ଚଳରେ ଏଭଳି ପରିସ୍ଥିତି ଉପୁଜିବ। ଉତ୍ତର-ପୂର୍ବ ପେନିନ୍‌ସୁଲା ଇଣ୍ତିଆ, ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ ଓ ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ମାର୍ଚ୍ଚ ମାସରେ ଅଧିକାଂଶ ଦିନ ହିଟ୍‌ୱେଭ୍‌ ସ୍ଥିତି ଉପୁଜିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ସାରା ଦେଶର ପାଣିପାଗ ସ୍ଥିତି ନେଇ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଆହୁରି ଚିନ୍ତା ବଢ଼ାଇଛି। କୁହାଯାଇଛି ଯେ ଗ୍ରୀଷ୍ମ ସମୟରେ ଦେଶର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ବହୁତ ଅଧିକ ରହିବ।

ପୂର୍ବାନୁମାନ କହୁଛି, ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଓଡ଼ିଶାରେ ଉଭୟ ଦିନ ଓ ରାତି ତାପମାତ୍ରା ମୁଖ୍ୟତଃ ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ଅଛି । ବିଶେଷ କରି ଏପ୍ରିଲ-ମେ’ ମାସରେ ଅସ୍ୱାଭାବିକ ଭାବେ ତାତି ବଢ଼ି ଚାଲିବ । ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ଭୟଙ୍କର ଭାବେ ବଢ଼ିପାରେ । ଉପକୂଳର କେତେକ ଜାଗାରେ ଅତ୍ୟଧିକ ଗରମ ହୋଇପାରେ । ସାରା ରାଜ୍ୟରେ ରାତିରେ ବି ଭୀଷଣ ଗରମ ଅନୁଭୂତ ହେବା ସମ୍ଭାବନା ଅଛି । ଅର୍ଥାତ୍‌ ରାତିବେଳା ବି ନିସ୍ତାର ମିଳିବା ଆଶା କମ୍‌ ।

Leave A Reply

Your email address will not be published.