ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିପ୍ରେକ୍ଷୀରେ ମିଳିତ ଫ୍ଲାଗମାର୍ଚ୍ଚ | ଆଗାମୀ ସାଧାରଣ ନିର୍ବାଚନରେ ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପରିପ୍ରେକ୍ଷୀରେ ମିଳିତ ଫ୍ଲାଗମାର୍ଚ୍ଚ ହୋଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ପ୍ରଧାନଙ୍କ ତତ୍ୱାବଧାନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ) ଯବାନ ଓ ମୟୁରଭଞ୍ଜ ଜିଲ୍ଲା ପୁଲିସର ମିଳିତ ଭାବେ ବାରିପଦା ସହରରେ ବୁଧବାର ଫ୍ଲାଗମାର୍ଚ୍ଚ ହୋଇଛି।
ନିର୍ବାଚନରେ ସୁରକ୍ଷା ନିମନ୍ତେ ନିୟୋଜିତ ହୋଇଥିବା ସିଏପିଏଫ ଯବାନ ମାନେ ଓ ପୁଲିସ ମାନଙ୍କ ମିଳିତ ଫ୍ଲାଗମାର୍ଚ୍ଚ ମୁର୍ଗାବାଡ଼ି ଗୋଲେଇ ଠାରୁ ବାହାରି ଭଞ୍ଜପୁର, ଷ୍ଟିଲ ଗୋଳେଇ, ଲାଲବଜାର, ବସଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଗୋଳେଇ, ଟ୍ରାଫିକ ଛକ, କୃଷ୍ଣଚନ୍ଦ୍ର ଗୋଳେଇ ହୋଇ ସହର ପରିକ୍ରମା କରି ବଡ଼ବଜାର ଠାରେ ସମ୍ପର୍ଣ୍ଣ ହୋଇଥିଲା। ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆଇନ ଶୃଙ୍ଖଳା ରକ୍ଷା ସହ ଅବାଧ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଲୋକ ମାନଙ୍କ ମଧ୍ୟରେ ଦୃଢ ଆତ୍ମବିଶ୍ବାସ ସୃଷ୍ଟି କରିବା ଉକ୍ତ ଫ୍ଲାଗମାର୍ଚ୍ଚର ଉଦ୍ଦେଶ୍ୟ ରହିଛି। ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ନିର୍ଭୀକ ଭାବେ ପରିଚାଳନା କରିବା ପ୍ରଶାସନର ଲକ୍ଷ୍ୟ ରଖି ସମସ୍ତ ଉଦ୍ୟମ କରାଯାଉଛି।
ଏବେ ଜିଲ୍ଲାକୁ ଗୋଟିଏ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଆସିଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ହେବ। ତେଣୁ ସମସ୍ତ ଭୋଟର ନିର୍ଭୟରେ ସେମାନଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସଠିକ୍ ଭାବେ ମତଦାନ ସାବ୍ୟସ୍ତ କରିବାକୁ ମୟୂରଭଞ୍ଜ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ଉକ୍ତ ଫ୍ଲାଗମାର୍ଚ୍ଚରେ ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନ, ଭଞ୍ଜପୁର ଥାନା ଅଧିକାରୀ କରୁଣାକର ରାଉତ ଓ ଅନ୍ୟାନ୍ୟ ପୁଲିସ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।