ବାଲେଶ୍ୱର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଜି ଅପରାହ୍ନ ଘ. ୪ ଟା ସମୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଗୌରିମଣି ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ବିକାଶ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ | ସୁଭଦ୍ରା ଯୋଜନା ହିତାଧିକାରୀ ଦରଖାସ୍ତ ଫର୍ମ ଅଙ୍ଗନବାଡି କେନ୍ଦ୍ର ଓ ଅଙ୍ଗନବାଡି ଦିଦିଙ୍କ ଠାରୁ ଗ୍ରହଣ କରିପାରିବେ |

ଏହି ସମ୍ବନ୍ଧିତ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟର ସୁଭଦ୍ରା ସହାୟତା କେନ୍ଦ୍ରରେ ଯୋଗାଯୋଗ କରି ପାରିବେ | ଯୋଗ୍ୟ ହିତାଧିକାରୀମାନେ ନିଜ ଆଧାର କାର୍ଡ, ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ର ସମସ୍ତ ଦରକାରୀ କାଗଜପତ୍ର ନେଇ ଚିହ୍ନଟ ହୋଇଥିବା ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନ ସେବା କେନ୍ଦ୍ର ଠାରେ ନିଜ ନାମ ସୁଭଦ୍ରା ପୋର୍ଟାଲରେ ପଞ୍ଜିକରଣ କରିପାରିବେ | ଏଥି ନିମନ୍ତେ e-KYC ର ବ୍ୟବସ୍ଥା ଅଛି | ଇତି ମଧ୍ୟରୁ କୌଣସି ଏକ e-KYC ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ପଞ୍ଜିକରଣ କରିପାରିବେ | ଏହି ସମୟରେ ହିତାଧିକାରୀମାନେ ନିଜେ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି | ହିତାଧିକାରୀଙ୍କ ଅନୁପସ୍ଥିତିରେ କୌଣସି ପ୍ରାମାଣିକିକରଣ କରାଯିବ ନାହିଁ | ଆବେଦନକାରୀଙ୍କୁ କୌଣସି ସ୍ତରରେ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ନିଷ୍କ୍ରିୟ ଥିବା ଆଧାର କାର୍ଡ ଗୁଡିକରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ଆମ ଜିଲ୍ଲାରେ ସର୍ବମୋଟ ୨୫୮ ଟି ଆଧାର କେନ୍ଦ୍ର ଚିହ୍ନଟ କରାଯାଇଛି | ଏହି ପରିବର୍ତ୍ତନ ନିମନ୍ତେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ Biometric updation ପାଇଁ ୧୦୦/- ଟଙ୍କା ଓ demographic updation ପାଇଁ ୫୦/- ଟଙ୍କା ଧାର୍ଯ୍ୟ କରାଯାଇଛି |

ଏହା ବ୍ୟତୀତ ଅନ୍ୟ କୌଣସି ସ୍ତରରେ ଦେୟ ପ୍ରଦାନ କରାଯିବ ନାହିଁ | ସେହି ଭଳି ସର୍ବମୋଟ ୨୨୦୦ ଟି ସୁଭଦ୍ରା କ୍ୟାମ୍ପ ମଧ୍ୟ ଖୋଲା ଯାଇଛି | ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ବିଷୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଥ ସାମ୍ବାଦିକଙ୍କୁ ଅବଗତ କରାଇଥିଲେ | ଜନ ଗହଳି ହେଉଥିବା କେନ୍ଦ୍ରଗୁଡିକ ପରିସରରେ ପୋଲିସ ପାଟ୍ରୋଲିଂ କରାଯାଇ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି | ଶୃଙ୍ଖଳିତ ଭାବରେ ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁଯାୟୀ ଜନ ସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରରେ ପହଞ୍ଚି ନିଜ ନାମ ପଞ୍ଜିକୃତ କରିହେବ | ସୁଭଦ୍ରା ଯୋଜନା ଅନ୍ତର୍ଗତ ଆବେଦନ କରିବା ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ | ଏହା ଏକ ନିରନ୍ତର ପ୍ରକ୍ରିୟା ବୋଲି ସର୍ବଶେଷରେ ମଞ୍ଚସ୍ଥ ସମସ୍ତ ଅଧିକାରୀମାନେ ହିତାଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି | ଏହି ସମ୍ମିଳନୀରେ ସୁଭଦ୍ରା ଯୋଜନାର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମିଶ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଓ ଡିପିସି, ମମତା ଶ୍ରୀ ବାମଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.