ଓଡ଼ିଆ ନ୍ୟୁଜ୍: ମୁଣ୍ଡ ଉପରେ ଦିଲ୍ଲୀ ସାଧାରଣ ନିର୍ବାଚନ। ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ତେବେ ଆଜି ନୂଆଦିଲ୍ଲୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ନୂଆଦିଲ୍ଲୀ ପ୍ରାର୍ଥୀ ଅରବିନ୍ଦ କେଜ୍ରିଓ୍ବାଲ। ଆଜି ନିଜର ଦଳୀୟ ନେତାଙ୍କ ସମର୍ଥନରେ ଯାଇ ଇସିଙ୍କୁ ନିଜର ନାମାଙ୍କନ ପତ୍ର ଦେିଛନ୍ତି କେଜ୍ରିଓ୍ବାଲ।
ଏନେଇ ନିଜ ଏକ୍ସରେ କେଜ୍ରିଓ୍ବାଲ ଲେଖିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀବାସୀଙ୍କ ଦେଇଥିବା ପ୍ରେମ ଏବଂ ଆଶୀର୍ବାଦ, ମୋତେ ପୂର୍ଣ୍ଣ ସମର୍ପଣ ଏବଂ ସେବା ମନୋଭାବ ସହିତ କାମ କରିବା ପାଇଁ ଶକ୍ତି ଏବଂ ପ୍ରେରଣା ଯୋଗାଇଛି । ମୋର ପୂର୍ଣ୍ଣ ବିଶ୍ୱାସ ରହିଛି, ଏଥର ବି ଦିଲ୍ଲୀ ଜନତା ମଧ୍ୟ କାମର ରାଜନୀତିକୁ ବାଛିବେ। ତେବେ ସମ୍ମାନର ଆସନ ନୂଆଦିଲ୍ଲୀ ପାଇଁ କେଜ୍ରିଓ୍ବାଲ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପି ପରବେଶ ବର୍ମାଙ୍କୁ ଛିଡା କରିଥିବା ବେଳେ ଆଜି ସେ ମଧ୍ୟ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏଥିସହିତ କଂଗ୍ରେସ ସନ୍ଦୀପ ଦିକ୍ଷିତଙ୍କୁ ନୂଆଦିଲ୍ଲୀ ଆସନରୁ ଟିକେଟ ଦେଇଛି। ଦିଲ୍ଲୀର ୭୦ ଆସନ ବିଶିଷ୍ଟ ବିଧାନସଭାର ସବୁଠୁ ହାଇପ୍ରୋଫାଇଲ ଆସନ ହେଉଛି ନୂଆଦିଲ୍ଲୀ ।
ଯେଉଁଠାରୁ ଲଗାତାର ୨୦୧୩, ୨୦୧୫, ୨୦୨୦ରେ ଜିତି ଶାସନ ଭାର ସମ୍ଭାଳିଛନ୍ତି କେଜ୍ରିଓ୍ବାଲ । ହେଲେ ଏଥର କେଜ୍ରିଓ୍ବାଲଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି । ଗୋଟେ ପଟେ କଂଗ୍ରେସ ଏବଂ ଆପ୍ ଏକାକୀ ଲଢୁଛନ୍ତି, ତ ଅନେକ ପ୍ରତିଶ୍ରୁତି ପୂରଣ ନହେବା ବି କେଜ୍ରିଓ୍ବାଲଙ୍କ ପାଇଁ ପ୍ରତିବନ୍ଧକ ସାଜିଛି। ଯାହାକୁ ବଡ ଅସ୍ତ୍ର କରିଛି ବିଜେପି। ଏଥିସହି କେଜ୍ରିଓ୍ବାଲଙ୍କ ବଡ ଭୋଟ ବ୍ୟାଙ୍କ ବସ୍ତି ଭୋଟରଙ୍କୁ ବି ନିଜ ଆଡକୁ ଆକର୍ଷିତ କରୁଛି ବିଜେପି।