ଓଡ଼ିଆ ନ୍ୟୁଜ୍: ଛାତି ବିନ୍ଧୁଥିଲା; କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଲେ ଫାର୍ମାସିଷ୍ଟ।କରିଲୋପାଟଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା। ଛାତି ଯନ୍ତ୍ରଣା ହେଉଥିବାରୁ ହସ୍ପିଟାଲ ଯାଇଥିଲେ ବ୍ୟକ୍ତି ଜଣଙ୍କ। ପାଖରେ ଆଉ ଜଣେ କୁକୁର କାମୁଡା ଆକ୍ରାନ୍ତ ବସିଥିଲେ। ଦୁହେଁ ବେଞ୍ଚ୍ରେ ବସିଥିଲା ବେଳେ ଭୁଲବଶତଃ ଇଞ୍ଜେକ୍ସନ ଦେଲେ ଫାର୍ମାସିଷ୍ଟ।ଫାର୍ମାସିଷ୍ଟ ତ୍ରୁଟି କରିଥିବା ସ୍ବୀକାର କଲେ କରିଲୋପାଟଣା ଡାକ୍ତର।
ଅଭିଯୋଗ ଅନୁଯାୟୀ, ଅନନ୍ତ ଜେନା ନାମକ ଜଣେ ଯୁବକଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ l ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ନିକଟରେ ଜଣେ କୁକୁର କାମୁଡା ରୋଗୀ ବସିଥିଲେ l ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସୁଧୀର ଦଳାଇ ଏକ କୁକୁର କାମୁଡା ଇଞ୍ଜେକସନ ଆଣି ସମ୍ପୃକ୍ତ ରୋଗୀଙ୍କୁ ଦେବା ପରିବର୍ତ୍ତେ ଅନନ୍ତଙ୍କ ଦେହରେ ଫୋଡ଼ି ଦେଇଥିଲେ l ଫଳରେ ଅନନ୍ତ ଭୟଭୀତ ହୋଇ ପଡିଥିଲେ l ଇଞ୍ଜେକ୍ସନ ନେବା ପରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ l