ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି । ଦିଲ୍ଲୀ, ମୁମ୍ବାଇ, କୋଲକାତାର ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ କାର୍ଯ୍ୟବନ୍ଦ ସହ ଆମରଣ ଅନଶନରେ ବସିଛନ୍ତି । ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ, ଆଜି ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ। ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ବା FORDA ପକ୍ଷରୁ ଗତକାଲି ଏକ ବୈଠକ ବସିଥିଲେ ।
ଏଥିରେ ସାରା ଦେଶରେ ରେସିଡେଣ୍ଟ ଡକ୍ଟର ଆନ୍ଦୋଳନରେ ଯୋଗ ଦେବାକୁ ଆହ୍ବାନ ଦିଆଯାଇଛି। ମାମଲାର ସିବିଆଇ ତଦନ୍ତ, ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି, RG କର ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ହଟାଇବା ଏବଂ ଏକ କେନ୍ଦ୍ରୀୟ ସୁରକ୍ଷା ଆଇନ କମିଟି ଗଠନ ଦାବି ରଖିଛି FORDA । ଗୁରୁବାର ରାତିରେ ଏହି ଘଟଣା ଘଟିବା ପରେ କୋଲକାତା ସମେତ ସମଗ୍ର ପଶ୍ଚିମବଙ୍ଗରେ ଉତ୍ତେଜନା ଲାଗି ରହିଛି । ଆଜି ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ତାଙ୍କ ନାମରେ ରାଜନୈତିକ ବିବୃତ୍ତି ଦିଆଯାଉଥିବାରୁ ସେ ନିଜ ପଦ ଛାଡିବା ଉଚିତ ବୋଲି କହିଛନ୍ତି । ସେ ଘଟଣାରେ ମର୍ମାହତ, ପୀଡିତା କନିଷ୍ଠ ଡାକ୍ତର ତାଙ୍କ ଝିଅ ପରି, ଅଭିଯୁକ୍ତ କଠୋର ଦଣ୍ଡପାଉ ବୋଲି ଡାକ୍ତର ଘୋଷ କହିଛନ୍ତି । ଅନ୍ୟପଟେ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିସାରିଛି ।
ଏବେ ସେ ପୋଲିସ ରିମାଣ୍ଡରେ ଜେରା ହେଉଛି । ବିରୋଧୀମାନେ ମମତା ସରକାରକୁ ଆଇନଶୃଙ୍ଖଳା ସ୍ଥିତି ନେଇ ଘେରିଛନ୍ତି । କୋଲକାତା ହସ୍ପିଟାଲରେ ଏପରି ଘଟଣା ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଥିବା ବେଳେ ପଶ୍ଚିମବଙ୍ଗର ପୂର୍ବ-ବର୍ଦ୍ଧମାନ ଜିଲ୍ଲାର ଏକ ହସ୍ପିଟାଲରେ ଆଉ ଜଣେ ମହିଳା ଡାକ୍ତରଙ୍କୁ ଜଣେ ସିଭିକ-ଭଲ୍ୟୁଣ୍ଟର ଦୁଷ୍କର୍ମ ଓ ହତ୍ୟା ଧମକ ଦେଇଛି । ଚିକିତ୍ସାରେ ବିଳମ୍ବ ହେଲେ ଆରଜି.କର ହସ୍ପିଟାଲ ପରି ଘଟଣାର ପୁନରାବୃତ୍ତି ହେବ ବୋଲି ଜଣେ ମହିଳା ଡାକ୍ତରଙ୍କୁ ଅଭିଯୁକ୍ତ ଧମକ ଦେଇଥିଲା । ପରେ ପୋଲିସରେ ମହିଳା ଡାକ୍ତର ଜଣକ ଅଭିଯୋଗ କରିବା ପରେ ତୁରନ୍ତ ଅଭିଯୁକ୍ତ ପୋଲିସ ଉଠାଇ ନେଇଛି ।