ଓଡ଼ିଆ ନ୍ୟୁଜ୍: ନକ୍ସଲ ଦ୍ବାରା ଖଞ୍ଚାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଏପରି ଘଟିଛି। ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ପର୍ଯ୍ୟଟକ ହୋଇଥିବା ବେଳେ ଆଉ ଜଣେ ଗ୍ରାମବାସୀ ବୋଲି ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗୋଟିଏ ଯୁବ ଗୋଷ୍ଠୀ ଗତକାଲି ନୀଲମ ସୋରେଇ ଜଳପ୍ରପାତ ବୁଲିବାକୁ ଯାଇଥିଲେ। ଜଳପ୍ରପାତର ଏକ କିଲୋମିଟର ପୂର୍ବରୁ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଫଳରେ ଦେବା ସୋଡି ନାମକ ଯୁବକ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ଆହତ ଦେବା ସୋଡୀକୁ ପ୍ରଥମେ ଉସୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ବିଜାପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ନମ୍ବି ଜଂଗଲରେ ସ୍ଥାନୀୟ ଜଣେ ୧୫ ବର୍ଷର ବାଳକ ବିନୋଦ କଟ୍ଟମ ଗାଈ ଚରାଉଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ବିନୋଦ ଗୁରୁତର ଆହତ ହେବା ପରେ ତୁରନ୍ତ ତାଂକୁ ମେଡିକାଲ ନିଆଯାଇଥିଲା। ପ୍ରକାଶ ଥାଉକି କେରାଗୁଟ୍ଟା ଜଂଗଲରେ ଯବାନ ଅପରେସନ କରୁଥିବା ବେଳେ ନକ୍ସଲ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ।ସୁରକ୍ଷାକର୍ମୀକୁ ଟାର୍ଗେଟ କରିବା ପାଇଁ ଏଭଳି ନକ୍ସଲ କରିଥିଲେ। ଏବେ ବି ଜଂଗଲରେ ପାଦ ପାଦକେ ଲ୍ୟାଣ୍ଡମାଇନ ଖଞ୍ଜାଯାଇଛି। ବିଜାପୁର ଏସପି ଉମେଶ ଗୁପ୍ତାଙ୍କ କହିବା ଅନୁଯାୟୀ ସୁକମାରୁ ଆସିଥିବା ଏହି ଯୁବଗୋଷ୍ଠୀ ପୁଲିସକୁ କୌଣସି ସୂଚନା ନଦେଇ ନୀଲମ ସରଇ ଜଳପ୍ରପାତକୁ ଯାଇଥିଲେ। ଏବେ ବି ସେହି ଅଂଚଳରେ ବହୁ ଲ୍ୟାଣ୍ଡମାଇନ ଖଞ୍ଜାଯାଇଛି।