ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ଆଜି ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଉପୁଜିଥିବା ମହାନଦୀ ଜଳ ବିବାଦ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର.ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ମହାନଦୀ ଜଳବଣ୍ଟନ ଓ ପରିଚାଳନା ନେଇ ବୈଠକରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆମର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ମାଧ୍ୟମରେ ମହାନଦୀ ଜଳ ସମସ୍ୟାର ଏକ ସ୍ଥାୟୀ, ଆପୋଷ ଓ ସନ୍ତୋଷଜନକ ସମାଧାନ ବାହାରିବ। ଆସନ୍ତା ୩ ମାସ ଭିତରେ ଦୁଇ ରାଜ୍ୟ ମଧ୍ୟ ମହାନଦୀ ଜଳ ବଣ୍ଟନ, ପରିଚାଳନା ଓ ସୁରକ୍ଷାର ସମାଧାନ ବାହାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।